ଧର୍ମ ପରାୟଣ ବ୍ୟକ୍ତିତ୍ବ ଶଙ୍କର୍ଷଣ ମିଶ୍ରଙ୍କ ଦେହାନ୍ତ
 
        ବଲାଙ୍ଗିର: ୦୧/୧୦ ଜନ ଆରୋଗ୍ୟ ସମିତି (ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର) ଆୟୁଶ୍ମାନ ଆରୋଗ୍ୟ ମନ୍ଦିର, ଶାସ୍ତ୍ରୀ ନଗର ସଭ୍ୟ ଶଙ୍କର୍ଷଣ ମିଶ୍ର ଆଉ ଆମ ନାହାନ୍ତି। ଆଜି ଭୋର ସକାଳ ୪ ଘଣ୍ଟା ସମୟରେ ସେ ତାଙ୍କ ନିଜ ବାସଭବନ ଶାସ୍ତ୍ରୀ ନଗର ଠାରେ ସତୁରି ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି। ଶ୍ରୀ ମିଶ୍ର ଜଣେ ଧର୍ମ ପାରାୟଣ ଓ ବଲାଙ୍ଗିର ଜିଲ୍ଲା ବକ୍ସିଉଡାର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଆଦର୍ଶ ପ୍ରଧାନ ଶିକ୍ଷକ ଥିଲେ। ତାଙ୍କ ଶିକ୍ଷକ ଜୀବନରୁ ସେ ଅବ୍ୟାହତି ନେବା ପରେ ଶାସ୍ତ୍ରୀ ନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳନା ପାଇଁ ଗଠିତ ରୋଗୀ କଲ୍ୟାଣ ସମିତି ସଭ୍ୟ ହିସାବରେ ଦୀର୍ଘ ଆଠ ବର୍ଷ ଜଣେ ସକ୍ରିୟ ସ୍ୱାସ୍ଥ୍ୟ ଉପଦେଷ୍ଟା ଭାବରେ ସ୍ୱାସ୍ଥ୍ୟ ସଂଗଠନ ପାଇଁ ସହଯୋଗ କରି ଆସୁଥିଲେ। ଶଙ୍କର୍ଷଣ ମିଶ୍ର ଜଣେ ମିଷ୍ଟ ଭାଷୀ ବ୍ୟକ୍ତିତ୍ୱ ଥିଲେ। ବଲାଙ୍ଗିର ସହରରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ଗହଣରେ ଭାଗବତ ପାରାୟଣ, ଭଜନ ସଙ୍ଗତି ପାଇଁ ସହର ଅନେକ ବ୍ୟକ୍ତି ବିଶେଷ ତାଙ୍କୁ ଆଦରି ନେଉଥିଲେ। ଅତୀତ ସମୟ ରେ ପ୍ରଚଳିତ ଭାଗବତ ଟୁଙ୍ଗିକୁ ପୁନଃ ଉଦ୍ଧାର ପାଇଁ ତାଙ୍କ ଉଦ୍ୟମ ଖୁବ ପ୍ରଶଂସନୀୟ ଥିଲା, ତାଙ୍କ ପ୍ରଚେଷ୍ଟା କ୍ରମେ ଭିନ୍ନ ଭିନ୍ନ ଧାର୍ମିକ ଅନୁଷ୍ଠାନ ମାନ ଭାଗବତ ପ୍ରଚାର କମିଟି ତିଆରି କରି ଭାଗବତ ସଙ୍ଗତି ସ୍ଥାପନ କରିବା ପାଇଁ ଉଦ୍ୟମ କରି ଆସୁଥିଲେ। ତାଙ୍କ ଅନୁପସ୍ଥିତ ରେ ଆଜି ଶାସ୍ତ୍ରୀ ନଗର ସମେତ ସମଗ୍ର ବଲାଙ୍ଗିର ଅଞ୍ଚଳରେ ଶୋକ ର ବାତାବରଣ ଖେଳିଯାଇଛି। ଶଙ୍କର୍ଷଣ ମିଶ୍ର ଙ୍କ ମୃତ୍ୟୁ ସମୟରେ ତାଙ୍କ ପୁଅ ରାମ, ଲକ୍ଷ୍ମଣ, ତାଙ୍କ ବହୁ, ନାତି, ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ।

 
                        
 
                                 
                                 
                                 
                                 
                                