ଇଞ୍ଜିନିୟରିଂ କଲେଜ ହଷ୍ଟେଲ ତରକାରୀରୁ ବାହାରିଲା ବିଛା ଓ ଝିଟିପିଟି


ଭୁବନେଶ୍ବର: ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ପିଲାଙ୍କୁ ଦିଆଯାଇଥିବା ଆଳୁ ତରକାରୀରୁ ବାହାରିଲା ଝିଟିପିଟି ଓ ବିଛା । ଯାହାକୁ ନେଇ ହଷ୍ଟେଳ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତ ହୋଇଥିଲା । ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଏମିତି ଘଟଣା ଘଟିଛି ।

ଗତକାଲି ରାତିରେ ପିଲାମାନଙ୍କୁ ରାତ୍ରି ଭୋଜନରେ ରୁଟି ସହ ଆଳୁ ତରକାରୀ ଦିଆଯାଇଥିଲା । ପିଲାମାନେ ଖାଇବା ବେଳେ ତରକାରୀରୁ ବିଛା ଓ ମଲା ଝିଟିପିଟି ବାହାରିଥିଲା । ପିଲାମାନେ ସେହି ଖାଇବା ଫୋପାଡ଼ି ଦେବା ସହ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ବାରମ୍ବାର ବାରମ୍ବାର ଖାଇବାରୁ ପୋକ, ଝିଟିପିଟି ଓ ବିଛା ବାହାରୁଥିବା ପିଲାମାନେ ଅଭିଯୋଗ କରିଛନ୍ତି । ହଷ୍ଟେଲ କର୍ତ୍ତୃପକ୍ଷ ଓ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାଶୁଝା କରିବା ପରେ ଉତ୍ତେଜନା ଥମିଥିଲା । ପିଲାଙ୍କୁ ବୁଝାଶୁଝା କରି ହଷ୍ଟେଲ ଭିତରକୁ ପଠାଇ ଦେଇଥିଲେ ।

ଜଣେ ଇଞ୍ଜିନିୟରିଂ ଛାତ୍ର କହିଛନ୍ତି, ରାତ୍ରି ଭୋଜନରେ ଆଳୁ ତରକାରୀରେ ଦିଆଯାଇଥିଲା । ଏଥିରୁ ଝିଟିପିଟି ଓ ବିଛା ବାହାରିଥିଲା । ପୂର୍ବରୁ ସୟାବିନ୍ ତରକାରୀରେ ପୋକ ବାହାରିଥିଲା ।

ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ଗତକାଲି ଖାଇବାରେ ବିଛା ବାହାରିଥିଲା । ସେହି ଖାଇବା ଫୋପାଡ଼ି ଦିଆଯାଇଥିଲା । ପୁଣି ଥରେ ଖାଇବା ତିଆରି କରାଯାଇ ପିଲାଙ୍କୁ ଖାଇବାକୁ ଦିଆଯାଇଛି ।

ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ମାଝୀ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି । ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯାଇଛି ।