Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚର୍ଚ୍ଚାରେ କୁଖ୍ୟାତ ମାଓବାଦୀ କୁନୁ ଦେହୁରୀଙ୍କ ମୃତ୍ୟୁ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଯୁଯୋମୁରା ଥାନ ଅନ୍ତର୍ଗତ ଟାମ୍ପରସିଂଘା ଗ୍ରାମର ପୂର୍ବତନ କୁଖ୍ୟାତ ମାଓବାଦୀ କୁନୁ ଦେହୁରୀ (୫୦) ଙ୍କ ରବିବାର ରାତିରେ ମୃତ୍ୟୁ ହୋଇଛି l ନାକଟିଦେଉଳ ଥାନା ପୋଲିସ କହିବାନୁସାରେ, ଘରେ ଥିବାବେଳେ ତାଙ୍କର ଅକସ୍ମାତ ମୃତ୍ୟୁ ହୋଇଛି I ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ କି ମୃତ୍ଯୁର କାରଣ ମଧ୍ୟ ସ୍ପଷ୍ଟ ନୁହେଁ I କିନ୍ତୁ, ପୂର୍ବତନ ମାଓବାଦୀ ନେତା କୁନୁ ଦେହେରୀଙ୍କ ରହସ୍ୟଜନକ ମୃତ୍ୟୁ କୁ ନେଇ ନାନାଦି ଚର୍ଚ୍ଚା ଶୁଣିବାକୁ ମିଳୁଛି I ତେବେ କୁନୁର ଅକସ୍ମାତ ମୃତ୍ୟୁ ସ୍ୱାଭାବିକ ନୁହେଁ ବରଂ ବିଦ୍ୟୁତ ଆଘାତରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟୁହିଲାମାଳ ଗ୍ରାମ ପଞ୍ଚାୟତ ଦେଉତାଦର ଗ୍ରାମର ଏକ ନଦୀ ପଠାରେ ହୋଇଛି ବୋଲି କୁହାଯାଉଛି I ଏ ସଂକ୍ରାନ୍ତରେ ନାକଟିଦେଉଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। କୁନୁ ୨୦୧୮ ମସିହା ଏପ୍ରିଲ ମାସରେ ପୋଲିସ ପାଖରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିଥିଲେ। ମାଓବାଦୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ପୋଲିସ ସୂଚନା ଦେଇଛି I କୁନୁ ଶ୍ରମିକ ଥିଲେ ଏବଂ ପତ୍ନୀଙ୍କ ସହିତ ଦେବଗଡ଼ ଜିଲ୍ଲା ରିଆମାଲ ଥାନା ଅନ୍ତର୍ଗତ ଜରାଗୁଳା ଗ୍ରାମସ୍ଥିତ ନିଜ ଶ୍ଵଶୁରଙ୍କ ଘରେ ରହୁଥିଲେ । ସମ୍ବଲପୁର ଜିଲ୍ଲା ଯୁଯୋମୁରା ଥାନା ଅନ୍ତର୍ଗତ ମେଘପାଳ ପଞ୍ଚାୟତର ଟାମ୍ପରସିଂହା ଗ୍ରାମର ଆଦିବାସୀ ଯୁବକ କୁନୁ ଦେହେରୀ ପିଲାଦିନରୁ ଥିଲେ ବାପା, ମା’ ଛେଉଣ୍ଡ I ସପ୍ତମ ଶ୍ରେଣୀ ଯାଏ ପଢ଼ିବା ପରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ I ୧୯୯୮ ମସିହାରେ ପଶ୍ଚିମ ଓଡ଼ିଶାରେ ମାଓବାଦୀ ଦଳର ପ୍ରତିଷ୍ଠା ପାଇଁ ଏମ୍‌ସିସିର ରାଜ୍ୟ କମିଟି ସଦସ୍ୟ ଦାମଦେଓ ତାଙ୍କ ପତ୍ନୀ ଏଲିନା ସହିତ ସମ୍ବଲପୁର ଜିଲ୍ଲାର କେଶାପାଲିକୁ ଆସିଥିଲେ | ଏହି ସମୟରେ ୨୧ ବର୍ଷ ବୟସର କୁନୁ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ଘଟଣାଚକ୍ରରେ ୨୦୦୩ ମସିହାରେ ଘଟିଥିବା ମେଘପାଳର ପୂର୍ବତନ ସରପଞ୍ଚ କାଦର ସିଂଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ହୋଇ ଜେଲ ଯାଇଥିଲେ I ତାଙ୍କ ବିରୋଧରେ ୫୧ ଟି ବିଭିନ୍ନ ମାମଲା ରହିଥିଲା I ୨୦୧୮ ମସିହା ଏପ୍ରିଲ ମାସରେ ଆତ୍ମସମର୍ପଣ କରି କିଛି ଦିନ ଜେଲରେ ରହିବା ପରେ ମୁକୁଳିଥିଲେ। ମାଓବାଦୀ ଦଳରେ ଥିବାବେଳେ ହିଁ ସେ ଦେବଗଡ଼ ଜ଼ିଲ୍ଲା ରିଆମାଳ ବ୍ଲକ ଜରାଗୁଳା ଗ୍ରାମର ଅନିତାଙ୍କୁ ବିବାହ କରିଥିଲେ । ରେଢ଼ାଖୋଲ ଠାରେ କୁନୁର ଶବ ବ୍ୟବଚ୍ଛେଦ ହେବା ପରେ ଶଶୁର ଘର ରିଆମାଳ ଥାନା ଟୁହିଲାମାଳ ଗ୍ରାମ ପଞ୍ଚାୟତ ଦେଉତାଦର ରେ ମଙ୍ଗଳବାର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି। ବର୍ତ୍ତମାନ ତାଙ୍କର ଏକ ମାତ୍ର ପୁଅ ପିଣ୍ଟୁ ଦେହେରୀ ରହିଛନ୍ତି।ତେବେ କୁନୁଙ୍କ ମୃତ୍ୟକୁ ନେଇ ନାନା କଳ୍ପନା ଜଳ୍ପନା ହେବା ସହ ଚର୍ଚ୍ଚା ଥମୁନି।