ମାଓବାଦୀ ପ୍ରଭାବିତ ଜିଲ୍ଲା ପାଇଁ ଗ୍ରାମୋଦୟ କାର୍ଯ୍ୟକ୍ରମ


ଭୁବନେଶ୍ବର: ମାଓବାଦୀ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ । ହିତାଧିକାରୀଙ୍କୁ ସରକାରୀ ଯୋଜନାର ସବୁ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ଯୋଜନା କରାଯାଇଛି । ନକ୍ସଲ ପ୍ରଭାବିତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡା ଆଦି ୧୦ ଜିଲ୍ଲାର ୫୮୩ ଗ୍ରାମ ପାଇଁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମର ଯୋଜନା ହୋଇଛି ।

‘ଗ୍ରାମୋଦୟ’କୁ ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷଣ କମିଟି ରହିବ । ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ରହିବ ପର୍ଯ୍ୟବେକ୍ଷଣ କମିଟି । ‘ଗ୍ରାମୋଦୟ’ କାର୍ଯ୍ୟକାରୀ ପାଇଁ ଜନସମ୍ପର୍କ ଶିବିର, ସଚେତନତା ଅଭିଯାନ, ଗ୍ରାମସଭା ଓ ଅଭିଯୋଗ ଶୁଣାଣି ଆଦିର ବ୍ୟବସ୍ଥା କରାଯାଇଛି ।

ପ୍ରତିଟି ଗାଁ, ଗୋଷ୍ଠୀକୁ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ଓ ପ୍ରତିକ ହିତାଧିକାରୀ ଏବଂ ପରିବାରକୁ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏକାଭିମୁଖୀ ହୋଇ ପରିପୂର୍ଣ୍ଣତା ଭିତ୍ତିରେ ଯୋଜନାଗୁଡିକ କାର୍ଯ୍ୟକାରୀ କରିବେ । ଏଥିରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ନୋଡ଼ାଲ୍‌ ବିଭାଗ ଭାବରେ କାର୍ଯ୍ୟ କରିବ । ଏହା ଅଧୀନରେ ଗ୍ରାମ/ ଗୋଷ୍ଠୀକୁ ୩୧ଟି ସରକାରୀ ଯୋଜନା ଏବଂ ହିତାଧିକାରୀ/ପରିବାରକୁ ୪୪ଟି ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।