ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ସୁନିତା ମିଶ୍ର


ସମ୍ବଲପୁର: ଚଳିତ ବର୍ଷ ରେଢ଼ାଖୋଲ ବ୍ଲକ ପାଇଁ ଜୈବ ବିବିଧତା ଓ ପ୍ରକୃତି ସଂରକ୍ଷଣ ପାଇଁ ରେଢ଼ାଖୋଲ ମହିଳା ମହା ବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପିକା ସୁନୀତା ମିଶ୍ରଙ୍କୁ ସମ୍ମାନଜନକ ପ୍ରକୃତି ବନ୍ଧୁ ପୁରସ୍କାର ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ସମ୍ବଲପୁର ଡି ଏଫ ଓ କାର୍ଯ୍ୟାଳୟ ସଭଗୃହରେ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀମତୀ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିବା ଅବସରରେ ମାନପତ୍ର ଓ ୧୦ ହଜାର ଅର୍ଥ ରାଶିର ଏକ ଚେକ୍ ମୁଖ୍ୟ ଅତିଥି ଡି ଏଫ୍ ଓ ଶ୍ରୀ କୁଲାଙ୍ଗେ ପ୍ରଦାନ କରିଥିଲେ। ଏହା ପୂର୍ବରୁ ଶ୍ରୀମତୀ ମିଶ୍ର ରେଢ଼ାଖୋଲ ମହିଳା ମହା ବିଦ୍ୟାଳୟରେ ଅଧ୍ୟକ୍ଷା ରହିଥିବା ସମୟରେ ବୃକ୍ଷ ରୋପଣ ଓ ସଚେତନତା ସୃଷ୍ଟି କରିବା ପାଇଁ ଅନୁଷ୍ଠାନ ପାଇଁ ପ୍ରକୃତି ମିତ୍ର ପୁରସ୍କାର ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ପୁରସ୍କାର ଓ ଅର୍ଥ ରାଶି ଗ୍ରହଣ କରିଥିଲେ। ତାଙ୍କର ପ୍ରକୃତି, ଜୀବଜନ୍ତୁ, ପକ୍ଷୀ କୁ ଭଲ ପାଇବା ଓ ସୁରକ୍ଷା ପାଇଁ ସଚେତନ କରାଇବା ଅଞ୍ଚଳରେ ବେଶ୍ ଆଦୃତ ହୋଇଛି। ନିଜ ଘରେ ରହିଥିବା ବଗିଚାରେ ରହିଥିବା ସ୍ୱଳ୍ପ ଜାଗାରେ ଚାରା ତିଆରିକରି ଅନେକ କଲେଜ ସ୍କୁଲ ଓ ଲୋକଙ୍କୁ ଦେବା ସହ ପକ୍ଷୀଙ୍କ ପାଇଁ ବସା ଓ ଖାଦ୍ୟ ପ୍ରତିଦିନ ଦେବା ତାଙ୍କର ନିଶା। ସକାଳ ହେଲେ ବଗିଚାରେ ପକ୍ଷୀଙ୍କ ଆସର ଜମିଯାଏ I ଅନେକ ସମୟରେ ବୁଲା କୁକୁର ଗାଈ ଗୋରୁ ଆଦିଙ୍କୁ ଖାଦ୍ୟ ଓ ଯତ୍ନ ନେବା ଓ ଛାତ୍ର ଛାତ୍ରୀଙ୍କ ସଚେତନ କରାଇବା ତାଙ୍କର ଏକ ଦୁର୍ବଳତା ରହିଛି।ନିଜର ଅଧ୍ୟାପନା ସହ ସମୟ ବାହାରକରି ଏହି ବୃକ୍ଷ ରୋପଣ ଓ ପଶୁ ପକ୍ଷୀଙ୍କ ସେବା ଫଳରେ ଅନେକ ଜୀବଜନ୍ତୁ ସୁରକ୍ଷା ପାଇପାରିଛନ୍ତି। ତାଙ୍କର ଏହି ପ୍ରକୃତି ସଂରକ୍ଷଣ ଓ ଭଲ ପାଇବା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହେବ ।