ଭୁବନେଶ୍ବର: ଦୁର୍ଗତିନାଶିନୀଙ୍କ ଆବାହନରେ ପ୍ରତମ୍ପିତ ହେଉଛି ଗଗନପବନ । ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ । ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ । ଶକ୍ତିପୀଠରେ ଜଗତଜନନୀଙ୍କର ମହାନବମୀ ପୂଜା । ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ମଣ୍ଡପ ଓ ଶକ୍ତିପୀଠ ।
ଆଜି ମହାଷ୍ଟମୀରେ ତାରିଣୀ ପୂଜା, ସନ୍ଧିପୂଜା ପରେ ଅଷ୍ଟମୀ ପୂଜା କରାଯିବାର ନୀତି ରହିଛି । ବିଶେଷ କରି ମହିଳାମାନେ ଆଜି ଅଷ୍ଟମୀ ବ୍ରତ ରଖି ମାଆଙ୍କ ପାଖରେ ବ୍ରତ, ଶାଢୀ, ଶଙ୍ଖା ଓ ସିନ୍ଦୁର ପୂଜାର୍ଚ୍ଚନା କରିଥାଆନ୍ତି । ମାଆଙ୍କ ଆବାହନକୁ ନେଇ ସବୁଠି ଆଧ୍ୟାତ୍ମିକ ପରିବେଶ, ସବୁଠି ଉତ୍ସବର ମାହୋଲ ।
ସେହିପରି ଶକ୍ତିପୀଠରେ ଆଜି ଦୁର୍ଗତିନାଶିନୀଙ୍କର ମହାନବମୀ ପୂଜା । ସକାଳୁ ସକାଳୁ ମାଆଙ୍କର ସୂର୍ଯ୍ୟ ପୂଜା, ଦ୍ୱାର ପୂଜା, ଷୋଡ଼ଶ ଉପଚାର ପୂଜା ସହ ଦୁର୍ଗା ସପ୍ତସ୍ତୁତି ପାଠ ନୀତିକାନ୍ତି ହୋଇଥାଏ । ଏହାପରେ ମହାନବମୀ ହୋମଯଜ୍ଞ କରାଯିବ । ନବମୀ ପାଇଁ ଚଣ୍ଡିପାଠରେ ଫାଟି ପଡୁଛି ରାଜ୍ୟର ବିଭିନ୍ନ ଶକ୍ତିପୀଠ । ଦେବୀଙ୍କ ଦର୍ଶନ କରିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ବି ଜମିଛି ।