ଏଥର ବାଲିଯାତ୍ରାରେ ଶୁଭିବ ସୋନୁ ନିମଗ ଓ ସୁରେଶ ଓ୍ବାଡେକରଙ୍କ ସ୍ବର, ଝୁମିବେ ଦର୍ଶକ


କଟକ: ଚଳିତବର୍ଷ କଟକ ଐତିହାସିକ ବାଲିଯାତ୍ରାରେ ଚାରଚାନ୍ଦ ଲଗାଇବେ ବଲିଉଡ଼ କଣ୍ଠଶିଳ୍ପୀ । ଆସନ୍ତା ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେଉଥିବା ବେଳେ ମଙ୍ଗଳବାରଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବାଲିଯାତ୍ରାରେ ଏଥର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବଲିଉଡ୍ କଣ୍ଠଶିଳ୍ପୀ ସୁରେଶ ୱାଡେକର, ସୋନୁ ନିଗମ୍‌, ଅନୁପ ଜଲୋଟାଙ୍କ ଗୀତରେ ଝୁମିବେ ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକେ ।

ଚଳିତବର୍ଷ ମୋଟ୍ ୧୧୦୦ ପ୍ଲଟ୍ ଆବଣ୍ଟନ ହେବାକୁ ଥିବା ବେଳେ ବାଲିଯାତ୍ରା ଉତ୍ସବ ପାଇଁ ଇଣ୍ଟିଗ୍ରେଟେଡ୍‌ ଟେଣ୍ଡର ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୯ ତାରିଖରୁ ଏଥିପାଇଁ ଆରମ୍ଭ ହେବ ପ୍ଲଟ୍ ନିଲାମ ପ୍ରକ୍ରିୟା । ଏହାସହ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚଳିତବର୍ଷ କଟକ-ଇନ-କଟକ ପ୍ୟାଭିଲିଅନରେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସିନେମାର ଥିମ୍‌ ପ୍ରଦର୍ଶିତ ହେବ । ସାସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍‌ କଳାକାର ସୋନୁ ନିଗମ୍, ସୁରେଶ ୱାଡେକର, ଅନୁପ ଜଲୋଟା ଓ ପିୟୁଷ ମିଶ୍ରଙ୍କ ସହ ଓଲିଉଡର ଆଗ ଧାଡିର କଳାକାରମାନେ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

ବାଲିଯାତ୍ରାର ଐତିହ୍ୟ ଓ ଅସ୍ମିତାକୁ ନେଇ ପ୍ରଥମ ଥର ପାଇଁ ୫୦୦ ଡ୍ରୋନ ମାଧ୍ୟମରେ ଡ୍ରୋନ ଶୋ’ ଓ ଲେଜର ଶୋ’ ହେବ । ଏହାସହ ଚଳିତବର୍ଷ ପାର୍କିଂ ଫି କମିବ ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି ।

ସେପଟେ ଦେଖିବାକୁ ଗଲେ କଟକ ଉପର ବାଲିଯାତ୍ରା ପଡ଼ିଆର ୮ ଏକର ଓ ତଳ ପଡ଼ିଆରେ ୪୩ ଏକ ଜମିରେ ବାଲିଯାତ୍ରା ଆୟୋଜିତ ହୋଇଥାଏ । ତେବେ ଗତ ଦୁଇବର୍ଷ ହେଲା ପ୍ଲଟ୍‌ ନିଲାମ ଯୋଗୁଁ ବାଲିଯାତ୍ରା ତା’ର ଅସ୍ଥିତ୍ତ୍ୱ ହରାଇବାକୁ ବସିଲାଣି । ଆଉ ବଡ଼ ବଡ଼ କମ୍ପାନୀ ବାଲିଯାତ୍ରାରୁ ମୁହଁ ଫେରାଇଲେଣି । ସେହିପରି ଶସ୍ତା ଯାତ୍ରାର ମାନ୍ୟତା ପାଇଥିବା ବାଲିଯାତ୍ରା ଏବେ ମହନଗର ଯାତ୍ରାରେ ପରିଣତ ହେଲାଣି ।

ଗତବର୍ଷ ବାଲିଯାତ୍ରା ଦୁର୍ନୀତିର ତଦନ୍ତ ରିପୋର୍ଟ ଏ ପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରି ନାହିଁ । ତେବେ ସରକାରଙ୍କ ପ୍ଲଟ୍‌ ନିଲାମ୍‌ ପ୍ରକ୍ରିୟାକୁ ବିରୋଧ କରି ବାଲିଯାତ୍ରା ବ୍ୟବସାୟୀ ସଂଘ, ଦୋଳି ଓ ମୀନାବଜାର ମହାସଂଘ ଏବଂ କଟକ ଜିଲ୍ଲା ଟେଣ୍ଟ ହାଉସ୍‌ ୱେଲଫେୟାର ଆସୋସିଏସନ ଚଳିତବର୍ଷ ବାଲିଯାତ୍ରାକୁ ବର୍ଜନ କରିଛନ୍ତି । ନିଲାମ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ପୁରୁଣା ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରିଛନ୍ତି । ଯାହା ପ୍ରଶାସନର ଚିନ୍ତା ବଢେଇ ଦେଇଛି । ସେପଟେ ପ୍ରଶାସନ ବାଲିଯାତ୍ରାକୁ ବ୍ୟବସାୟୀକ ଦୃଷ୍ଟିକୋଣରୁ ନଦେଖି ଏହାର ଐତିହ୍ୟ ଓ ଗାରିମାକୁ ବଜାୟ ରଖିବା ପାଇଁ ଦାବି କରିଛନ୍ତି କଟକର ବୁଦ୍ଧିଜୀବୀ ।