ସମ୍ବଲପୁର:ପ୍ରଫେସର ସୁଦର୍ଶନ ପୁଜାରୀଙ୍କ ଲିଖିତ ଆଲୋଚନା ପୁସ୍ତକ ,”ଆମେ ଆଗେଇବା ଓ ଅନ୍ୟାନ୍ୟ…..” ଗତକାଲି ସମ୍ବଲପୁର ପାନ୍ଥ ନିବାସ ହଲରେ ପାଠକାର୍ପିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ଼. କାଳିଦାସ ମିଶ୍ର । କବି ରାମକୃଷ୍ଣ ଓ ଡ. କାମଦେବ ସାହୁ ଆଲୋଚକ ଭାବରେ ଯୋଗ ଦେଇଥଲେ। ଲେଖକଙ୍କ ପୌତ୍ରୀ ବାଗ୍ମୀ ବରେଣ୍ୟା ଅତିଥିମାନଙ୍କୁ ସ୍ଵାଗତ କରିଥିବା ବେଳେ କ୍ରିତିକା ଓ ସମୀକ୍ଷା ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । “ଗଣ ଇସ୍ତାହାର”ର ସମ୍ପାଦକ ତଥା ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ହୋତା ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ଲେଖକଙ୍କ ବଡଭାଇ ଡ . ପଞ୍ଚାନନ ପୂଜାରୀ, ବିପିନ ବିହାରୀ ନନ୍ଦ , ରାଉରକେଲା ନିଟ୍ ର ଅବସରପ୍ରାପ୍ତ ପ୍ରଫେସର ଡଃ ବନମାଳୀ ପ୍ରଧାନ ଓ ଲେଖକ ସୁଦର୍ଶନ ପୂଜାରୀ ଅତିଥିମାନଙ୍କ ସହିତ ପୁସ୍ତକ ପାଠକାର୍ପଣ କରାଯାଇଥିଲା।
ସାହିତ୍ୟିକ ମୋହନ ସାହୁ”ଆମେ ଆଗେଇବା ଓ ଅନ୍ୟାନ୍ୟ…..” ପୁସ୍ତକ ପ୍ରକାଶନର ପୃଷ୍ଠଭୂମରୁ ପାଠକାର୍ପଣ ପର୍ଯ୍ୟନ୍ତ ଘଟଣାବଳୀର ବିବରଣୀ ଅନୁଭୂତିରୁ ପ୍ରଦାନ କରିଥିଲେ ।
ଡ. କାମଦେବ ସାହୁ ତାଙ୍କ ଆଲୋଚନାରେ ପ୍ରବନ୍ଧ ଲିଖନର ଦିଗ ବିଦିଗ ଓ ଓଡିଆ ସାହିତ୍ୟରେ ପ୍ରବଂଧ ସାହିତ୍ୟର ଇତିହାସ ବର୍ଣ୍ଣନା କରି ସେ ଦିଗରେ “ଆମେ ଆଗେଇବା ଓ ଅନ୍ୟାନ୍ୟ ….” ପୁସ୍ତକର ସ୍ବାତଂତ୍ର୍ୟ ଓ ନୂତନତା ସଂପର୍କରେ ଅନେକ ଦୃଷ୍ଟାନ୍ତ ଉପସ୍ଥାପନ କରିଥିଲେ। ଅନ୍ୟତମ ଆଲୋଚକ କବି ରାମକୃଷ୍ଣ ପ୍ରବନ୍ଧ ସାହିତ୍ୟ କାହିଁକି ପାଠକଙ୍କୁ ସହଜରେ ଛୁଇଁ ପାରେନାହିଁ ଓ ଜଟିଳ ଲାଗେ ଅଥଚ “ଆମେ ଆଗେଇବା ଓ ଅନ୍ୟାନ୍ୟ…” ସେ ଦୃଷ୍ଟିରୁ କିପରି ଏକ ସ୍ବାଗତଯୋଗ୍ୟ , ସଫଳ ବ୍ୟତିକ୍ରମ ତହିଁର ଆଲୋଚନା କରିଥିଲେ। ପ୍ରାଚୀନ ଧର୍ମ ସାହିତ୍ୟ, ଶାସ୍ତ୍ର, ପୁରାଣ , ଦର୍ଶନ, ଇତିହାସ ଆଦିରୁ ଉଦାହରଣ ଆଣି ଗଳ୍ପ ଓ କବିତାର ଭାଷାରେ ପ୍ରବଂଧକୁ ବି କିପରି ସରସ , ସହଜ ଓ ବୋଧଗମ୍ୟ କରିହୁଏ ତହିଁର ଏକ ସଫଳ ଉଦାହରଣ ଏହି ପୁସ୍ତକ ବୋଲି ବିଭିନ୍ନ ପ୍ରବଂଧରୁ ଉଦ୍ଧୃତି ଦେଇ ଆଲୋଚନା କରିଥିଲେ ।
ସଭାପତି ଅଭିଭାଷଣରେ ଡ. କାଳିଦାସ ମିଶ୍ର ପ୍ରାବଂଧିକଂକ ସହିତ ଏକମତ ହୋଇ କହିଥିଲେ ଯେ “ଭାଷା” ଆମ ବୁଝାମଣାର ଅସଲ ପ୍ରତିବନ୍ଧକ। ସେ ଦିଗକୁ ଅଧିକ ଦୃଷ୍ଟି ଦେଇ ପ୍ରାବଂଧିକ ପ୍ରତ୍ୟେକ ଆଲୋଚନାକୁ ପାଠକ ପାଖରେ ସଫଳତାର ସହିତ ପହଂଚାଇ ପାରିଛଂତି । ଶେଷରେ ପ୍ର. ପୂଜାରୀଙ୍କ ସାନ ଝିଅ ଅଗରତଲା ଇକଫାଇ ବିଶ୍ଵବିଦ୍ୟାଳୟର ଆଇନ ବିଭାଗର ଅଧ୍ୟକ୍ଷ ଡ଼. ଜିଗୀଷା ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ପ୍ର. ପୂଜାରୀଙ୍କ ବଡ଼ଝିଅ ଜିଜ୍ଞାସା ଓ ପୁତୁରା ଡ. ବିଶ୍ବରଞ୍ଜନ , ରବିରଂଜନ ତଥା ସତ୍ୟମ୍ ପାଣିଗ୍ରାହୀ ଓ ଶୁଭମ୍ ପୂଜାରୀ ସହଯୋଗ କରିଥିଲେ।