ବାତ୍ୟା ପରେ ବନ୍ୟା ସ୍ଥିତି, ୧୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ


ବାଲେଶ୍ବର: ବାତ୍ୟା ‘ଦାନା’ ଯାଇଛି । ବାତ୍ୟାର ପ୍ରଭାବ ଏତେ ପଡ଼ି ନଥିଲେ ବି ପ୍ରବଳ ବର୍ଷା ହୋଇଛି । ବିଶେଷ କରି ବାଲେଶ୍ବରରେ ବାତ୍ୟା ପର ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି । ଜିଲ୍ଲାର ୧୦ ଗାଁ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

ବାତ୍ୟା ‘ଦାନା’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ପ୍ରବଳ ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ବୁଢାବଳଙ୍ଗ ଓ ସୋନ ନଦୀରେ ପ୍ରବଳ ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ବାଲେଶ୍ୱରର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ବନ୍ୟା ପରିସ୍ଥିତି ଯୋଗୁଁ ନୀଳିଗିରି ଓ ରେମୁଣାର ବେଗୁନିଆ, କାଂଶ, କାଠପୋଲ, କଲ୍ୟାଣପୁର ଆଦି ଗାଁ ବନ୍ୟା ଘେରରେ ରହିଛି ।

ବେଗୁନିଆରୁ ତୋଟାପଡାକୁ ସଂଯୋଗ କରୁଥିବା ରାସ୍ତା ଧୋଇଯିବାରୁ ୧୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି କୁଳଢିଆ ଅଭୟାରଣ୍ୟରେ ବର୍ଷା ଯୋଗୁଁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଡିଯାଇଛି ।

ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହୋଇ ସାରିଛି । ଏବେ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି ଅବପାତ । ଅବପାତ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଅତିକ୍ରମ କରିବା ସହ ଆହୁରି ଦୁର୍ବଳ ପଡ଼ି ଆଜି ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ । ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ଜାରି ରହିଛି ବର୍ଷା । ଫଳରେ ସ୍ଥିତି ଅଧିକ ବିଗିଡିବା ଆଶଙ୍କା ଦେଖାଦେଇଛି ।