ଆମ୍ବ ଟାକୁଆ ନେଲା ଦୁଇ ଜୀବନ, ୬ ଗୁରୁତର


ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଗଦାପୁର ମଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଅସୁସ୍ଥ ହୋଇଚନ୍ତି । ମୃତକମାନେ ହେଲେ ରମିତା ପାଟ ମାଝୀ (୨୭) ଏମଂ ରୁନୁ ମାଝୀ । ଆହତ ମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ରମିତା ଓ ରୁନୁ ଆମ୍ବ ଟାକୁଆରେ ଜାଉ ପ୍ରସ୍ତୁତ କରି ଖାଇଥିଲେ । ଏହା ପରେ ସେମାନଙ୍କର ପେଟବ୍ୟଥା ହେବା ସହ ଝାଡ଼ାବାନ୍ତି ହୋଇଥିଲା । ରମିତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ଗତ ୩୦ ତାରିଖରେ ତାଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଗତକାଲି ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସେହିଭଳି ଦିବ୍ୟାଙ୍ଗ ଯୁବତୀ ରୁନୁଙ୍କୁ ମଧ୍ୟ ପ୍ରଥମେ ବ୍ରାହ୍ମଣୀ ଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମକେସିଜି ନିଆଯିବା ବେଳେ ସେ ପ୍ରାଣ ହରାଇଛନ୍ତି । ଦୁଇ ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଗଦାପୁର ସରପଞ୍ଚ କୁମାରୀ ମଲିକ କହିଛନ୍ତି, ସମସ୍ତେ ଆମ୍ବ ଟାକୁଆ ଖାଇଥିଲେ । ଖାଇବାର କିଛି ସମୟ ପରେ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା । ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।