ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର


ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡିଛନ୍ତି ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ । ତାଙ୍କ ଘରେ ଆଜି ସକାଳୁ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମୁଦାୟ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି ।

ଆଜି ଭୋର ୪ଟାରୁ ଏହି ଚଢ଼ାଉ ଆରମ୍ଭ ହୋଇଛି । ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ତେବେ କେତେ ସମ୍ପତ୍ତି ଠାବ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି । ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଜମାପୁଞ୍ଜିର ବି ଖୋଳତାଡ଼ କରୁଛି ।

ଗତ କିଛି ମାସ ହେଲାଣି ରାଜ୍ୟରେ ଭିଜିଲାନ୍ସ ବିଭାଗ ଆକ୍ସନ ମୁଡକୁ ଚାଲି ଆସିଥିବା ବେଳେ ଲାଞ୍ଚୁଆ ବାବୁଙ୍କ ମନରେ ଛନକା ପଶିଛି । କେତେ ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିବେ ଭାବି ପ୍ରମାଦ ଗଣୁଛନ୍ତି । ଏଥିସହ ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତି ଲୁଚାଇବାକୁ ବି ଜାଗା ପାଉ ନାହାନ୍ତି ।

ଗତ ୪ ମାସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢ଼ାଉରେ ୭ ଇଞ୍ଜିନିୟରଙ୍କ ଘରୁ ପୁଳା ପୁଳା ପ୍ଲଟ ଓ କେଜି କେଜି ସୁନା ଜବତ ହୋଇଛି । ଏହା ଦେଖି ସାଧାରଣ ଲୋକଙ୍କୁ ଜୋରଦାର ଝଟକା ଲାଗିଥିବା ବେଳେ ବାବୁମାନେ ଏବେ ଆଇନ ଜାଲରେ ଛନ୍ଦି ହୋଇ ଜେଲ୍‌ରେ ରହିଛନ୍ତି ।