ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଦିବାସୀମହାବିଦ୍ୟାଳୟ ରେ ରାଜ୍ୟସ୍ତରୀୟ ଭାଷା ସଂପାନ


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ସହଯୋଗିତାରେ ବୁଧବାର ‘ରାଜ୍ୟସ୍ତରୀୟ ଭାଷା ସଂପାନ’ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଆମନ୍ତ୍ରିତ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଭାଷା ସଂପାନର ଶୁଭାରମ୍ଭ କରିଥିଲେ l ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର୍ କାର୍ତ୍ତିକ ଚନ୍ଦ୍ର ସି ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ସଂପାନର ଉଦଘାଟନ କରିବା ସଂଗେ ସଂଗେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରଫେସର୍ ପ୍ରତ୍ୟୁଷ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଂପାନରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର୍ ଡ. ପ୍ରେମାନନ୍ଦ ମହାପାତ୍ର ମୁଖ୍ୟଅତିଥି ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ମୁଖ୍ୟବକ୍ତା ରୂପେ ଓଡ଼ିଆ ଭାଷାର ମୌଳିକ ଭିତ୍ତି, ଉନ୍ମେଷ ଓ ଉତ୍ତରଣ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଭାଷା ସଂପାନରେ ଆଲୋଚକ ରୂପେ ବର୍ଷୀୟାନ୍ ସଂସ୍କୃତବିଦ୍ ପଣ୍ଡିତ ଅନନ୍ତ ଚରଣ ମିଶ୍ର ‘ଓଡ଼ିଆ ଭାଷାର ବିକାଶ ଓ ସୁରକ୍ଷା’, ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ. ମଧୁସୂଦନ ମହାପାତ୍ର ‘ସଚ୍ଚି ରାଉତରାୟଙ୍କ କ୍ଷୁଦ୍ରଗଳ୍ପର ଭାଷା’ ଓ କଳିଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ଡ. ନଳିନୀ କୁମାର ପାଣିଗ୍ରାହୀ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟଭାଷା’ ସଂପର୍କରେ ତଥ୍ୟ ଓ ତତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ l ମୁଖ୍ୟଅତିଥି ପ୍ରଫେସର୍ ପ୍ରେମାନନ୍ଦ ମହାପାତ୍ର ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ବିଭିନ୍ନ ପ୍ରକଳ୍ପ ଓ ଯୋଜନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ l ଓଡ଼ିଆ ବିଭାଗ ମୁଖ୍ୟ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିବା ସଂଗେ ସଂଗେ ସମସ୍ତ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ l ଏହି ଅବସରରେ +୨ ଓ +୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା ଓ ଶୁଦ୍ଧ ଲିଖନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଭାଷା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ପୁସ୍ତକ ପୁରସ୍କାର ରୂପେ ବିତରଣ କରାଯାଇଥିଲା l ଏହି ସଂପାନରେ ସାହିତ୍ୟିକ ରବୀନ୍ଦ୍ର କୁମାର ରଥ, ବିଭାଗୀୟ ଅଧ୍ୟାପିକା ସ୍ନେହଲତା ମାଝୀ, ଡ. ବିଶ୍ୱେଶ୍ଵର ଆଚାର୍ଯ୍ୟ, ଡ. ବନୀତା ପଟ୍ଟନାୟକ, ସାଗରିକା ସାହୁ, ସ୍ଵାଗତିକା ପରବିନ୍, ଶାଳବଣ ସାହିତ୍ୟ ସଂସଦର କାର୍ଯ୍ୟକର୍ତ୍ତା, ବିଭାଗୀୟ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଣ-ଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ l ଶେଷରେ ଅଧ୍ୟାପିକା ସୁଲୋଚନା କଅଁର ଧନ୍ୟବାଦ ଅର୍ପଣ କରିଥିଲେ l