ଝରାପଡା ଗାଁ ନିକଟ ମହାନଦୀ ଗର୍ଭ ରେ ଥିବା ଖଣ୍ଡିଆ ଦେଉଳ ଦଣ୍ଡାୟମାନ ହୋଇଛି ଇତିହାସ ର ମୂକସାକ୍ଷୀ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଞ୍ଚାୟତ ଅନ୍ତର୍ଗତ ଝରାପଡା ସ୍ଥିତ ମହାନଦୀ ଗର୍ଭରେ ରହିଛି ଖଣ୍ଡିଆ ଦେଉଳ। ଯାହାକି କଳା ନୈପୁଣ୍ୟତାର ସମୃଦ୍ଧ ଇତିହାସର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇଛି । ଦେଉଳଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ଏହାକୁ ଖଣ୍ଡିଆ ଦେଉଳ କୁହାଯାଏ । ଏଠାକୁ ଯିବାକୁ ହେଲେ ବୀରମହାରାଜପୁର – ସୋନପୁର ମୁଖ୍ୟ ରାସ୍ତା ଭୁଦବର ଛକ ଠାରୁ ମହାନଦୀ କୂଳକୁ ଯିବାକୁ ପଡିଥାଏ । ମହାନଦୀ କୂଳରେ ରହିଛି ଝରାପଡା ଗାଁ । ଗ୍ରାମରେ କେଉଟ (ଝରା ) ସମ୍ପାଦାୟ ଲୋକ ବସବାସ କରୁଛନ୍ତି। ଏଠାରୁ ମାଛ ମରା ଡଙ୍ଗା ସାହାଯ୍ୟରେ ମହାନଦୀ ଗର୍ଭର ଥିବା ଖଣ୍ଡିଆ ଦେଉଳ ଯିବାକୁ ପଡିଥାଏ । ମହାନଦୀ ଶଯ୍ୟାର ମଧ୍ୟ ଭାଗରେ ଏକ ବିସ୍ତୀର୍ଣ୍ଣ ପଥର ଚଟାଣ ରହିଛି । ଚଟାଣ ଉପରେ ଦେଉଳ ବା ମନ୍ଦିର ଆକୃତିର ସମ୍ପୂର୍ଣ୍ଣ ଭାବରେ ପଥରରେ ନିର୍ମିତ ସ୍ତୁପଟିଏ ରହିଛି। ଯାହାର ଉଚ୍ଚତା ପ୍ରାୟ ୨୦ ଫୁଟ ହେବ। ଏହାର ନିର୍ମାଣ ଶୈଳୀ ଖୁବ ଆକର୍ଷଣୀୟ ଏବଂ ବେଶ ପୁରାତନ ମନେ ହୁଏ । ଏହାର ସମ୍ମୁଖ ଭାଗରେ ଏକ ସ୍ତମ୍ଭ ମଧ୍ୟ ରହିଛି I ଯାହା କି ସବୁ ହିନ୍ଦୁ ମନ୍ଦିର ମାନଙ୍କରେ ଦେଖିବାକୁ ମିଳେ। ମୁଖ୍ୟ ମନ୍ଦିର ଚୂଳ ନାହିଁ। ତେଣୁ ଏହା ଖଣ୍ଡିଆ ଦେଉଳ ନାମରେ ପରିଚିତ । ଏହି ଦେଉଳରେ କୈାଣସି ଦେବାଦେବୀ ପୂଜା ପାଆନ୍ତି ନାହିଁ। ପଥର ଚଟାଣର ଚତୁଃପାର୍ଶ୍ଵରେ ନଦୀର ଧାର ରହିଛି। ଯାହାର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକଙ୍କ ମନକୁ ମୋହିତ କରିଥାଏ । ଏହି ଦେଉଳଟି କେବେ ନିର୍ମାଣ ହୋଇଥିଲା ଏବଂ କିଏ ଏହାକୁ ନିର୍ମାଣ କରିଥିଲେ ନିର୍ଦ୍ଦିଷ୍ଟ ଭାବେ ତାହାର କୌଣସି ଇତିହାସ ନାହିଁ । ଜଳ ଦେବୀଙ୍କ ଉପାସନା ଉଦ୍ଦେଶ୍ୟରେ ଏହା ନିର୍ମିତ ହେଇଥିଲା ବୋଲି ବିଶ୍ୱାସ କରାଯାଏ । ଜନଶ୍ରୁତି ଅନୁଯାୟୀ ଥରେ ଜଣେ ସାଧୁବାବା ଆସି ଏହାକୁ ଶୈବପୀଠ ର ମାନ୍ୟତା ଦେବାକୁ ଚେଷ୍ଟା କରି ନିଷ୍ଫଳ ହୋଇଥିଲେ । ବନ୍ୟା ସମୟରେ ମଧ୍ୟ ଏହି ପଥର ନିର୍ମିତ ଦେଉଳ ଟି ବୁଡି ନଥାଏ । ମସ୍ୟଜୀବି ମାନେ ଖରା ବେଳେ ଥକ୍କା ମେଣ୍ଟାଇବା ପାଇଁ ଏଠାରେ ଆଶ୍ରୟ ନେଇଥାନ୍ତି । ଉକ୍ତ ଦେଉଳ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି I