କୋରାପୁଟ: ଶ୍ବଶୁର ଘରକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଗଲେ ଯୁବକ । ହଠାତ ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା । ତେବେ ଯୁବକ ଜଣଙ୍କ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ବି ଗୁରୁତର ଆହତ ହୋଇଛନ୍ତି । ଘଟଣା ପାଡୁଆ ଥାନା ଅନ୍ତର୍ଗତ ହାତିବାରୀ ପଞ୍ଚାୟତର ବେନେଙ୍ଗା ଗୁଡା ଗାଁରେ ଘଟିଛି । ଆହତ ଯୁବକ ରାମଦାସ ପାଙ୍ଗି ବୋଲି ଜଣାପଡିଛି । ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ରାମଦାସ ଶ୍ୱଶୁର ଘର କୋନା ଗାଁରୁ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ବାଟରେ ୩ଟି ଭାଲୁ ଯୁବକଙ୍କୁ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବା ପାଇଁ ରାମଦାସ ଭାଲୁଙ୍କ ସହ ସଂଘର୍ଷ କରିଥିଲେ । ଏହି ସମୟରେ ଗ୍ରାମବାସୀ ଖବର ପାଇ ସେଠାରେ ପହଞ୍ଚି ଯାଇଥିଲେ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।