Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ଭାରତୀ ସମାବେଶରେ ପ୍ରମାଣ ଉପସ୍ଥାପିତ ,ବୌଦ୍ଧଗୁରୁ ପଦ୍ମସମ୍ଭବ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିଲେ

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସମଗ୍ର ବିଶ୍ଵରେ ଦ୍ବିତୀୟ ବୁଦ୍ଧ ଭାବରେ ସ୍ଵୀକୃତି ପାଇଥିବା ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଓଡ଼ିଶାର ସମ୍ବଲପୁରରେ ବୋଲି ଦୃଢ଼ ତଥ୍ୟ ଓ ପ୍ରମାଣ ଦର୍ଶାଇଛନ୍ତି ଓଡ଼ିଶାର ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରବୀର କୁମାର ପଟ୍ଟନାୟକ। ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ଵ ଭାରତୀ ସମାବେଶରେ ସେ ଏହି ତର୍କ ଉପସ୍ଥାପନ କରିଛନ୍ତି। ବିଭିନ୍ନ ଅଭିଲେଖ, ତଥ୍ୟ ଓ ବଳିଷ୍ଠ ପ୍ରମାଣ ସହ ସେ ପ୍ରତିପାଦିତ କରିଛନ୍ତି ଯେ
ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ‘ଉଡ୍ଡୀୟାନ’ (ପ୍ରାଚୀନ ଓଡ଼ିଶାର ସମ୍ବଲପୁର) ବ୍ୟତୀତ ଆଉ କିଛି ନୁହେଁ। ଗୁରୁ ପଦ୍ମସମ୍ଭବଙ୍କ ଜୀବନ ଓ ଦର୍ଶନ ବିଷୟରେ ଆଲୋଚନା ପାଇଁ ଭାରତୀ ସମାଜ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ସହଯୋଗରେ ଆୟୋଜିତ ଏହି ସମ୍ମିଳନୀକୁ ରବିବାର ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଉଦ୍‌ଘାଟନ କରିଥିଲେ । ବୌଦ୍ଧ ଗବେଷକ ଓ ବିଦ୍ୱାନ ମାନଙ୍କ ସହ ଆମେରିକାରୁ ଭାରତୀ ସମାଜର ଅନ୍ତଃରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା, ପ୍ରବୀନ ଶର୍ମା, ୟୁଏଇ ର ଭାରତୀ ସମାଜ ସଂଯୋଜକ ନିପନ ଭୋଇ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଉପକୁଲପତି ଡ଼ ଉମା ଚରଣ ପତି ଏବଂ ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରୀ ନାୟକ ଅତିଥି ଭାବରେ ଯୋଗଦେଇ ଥିଲେ ‌ । ସମ୍ବଲପୁର ରେ ପର୍ଯ୍ୟଟନର ବିକାଶ ପାଇଁ ଆଗକୁ କାର୍ଯ୍ୟ କରାଯିବ ବୋଲିି କହିଥିଲେ।
ଏହି ସମ୍ମିଳନୀ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଗୁରୁ ପଦ୍ମସମ୍ଭବଙ୍କ ପବିତ୍ର ଦେହାବଶେଷ ଓଡ଼ିଶାର ଉଦୟଗିରିରେ ଥ‌ିବା ମାଧବପୁର ମହାବିହାରରେ ଏବେ ମଧ୍ଯ ସଂରକ୍ଷିତ ରହିଛି । ଅନ୍ୟତମ ଗବେଷକ ତଥା ଡ. ଅନିତା ସାବତ ବିଭିନ୍ନ ତଥ୍ୟ ସହ ଗୁରୁ ପଦ୍ମ ସମ୍ଭବ ଙ୍କ ଜନ୍ମ ସମ୍ବଲପୁର ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାରତୀ ସମାଜର ଅନ୍ତଃରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା ଫିଜିରେ ଭାରତୀ ସଂସ୍କୃତି ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ୨୪ ବର୍ଷ ହେବ ଭାରତୀ ସମାଜ ସାରା ବିଶ୍ବରେ ଭାରତୀ ବ଼ଂଶଧର ମାନଙ୍କୁ ଏକଜୁଟ କରିବା ଦିଗରେ କାର୍ଯ୍ୟକ୍ରମ କରୁଥିବା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ସେହିପରି ୟୁଏଇ ରୁ ସାମିଲ ହୋଇଥିବା ନିପନ ଭୋଇ ସମ୍ବଲପୁର ଅଞ୍ଚଳରେ ପର୍ଯ୍ୟଟକ ର ବିକାଶ ଉପରେ ଅନେକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଅବସରରେ ଚିତ୍ରଶିଳ୍ପୀ ମନୋଜ ଚୋୖଧୁରୀ ଙ୍କ ଦ୍ୱାରା ଅଙ୍କାଯାଇ ଥିବା ଗୁରୁ ପଦ୍ମ ସମ୍ଭବ ଙ୍କ ଚିତ୍ର ଅତିଥି ମାନଙ୍କ‌ ଦ୍ବାରା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଆସନ୍ତା ବର୍ଷ ଠାରୁ ଡିସେମ୍ବର ୧ ଏବଂ ୨ ତାରିଖରେ ଦୁଇଦିନିଆ ବିଶ୍ଵ ଭାରତୀ ସମାବେଶ ଆୟୋଜନ କରାଯିବା ନେଇ ଭାରତୀ ସମାଜ ର ସଞ୍ଚାଳକ ଭବାନୀଶ ଭୋଇ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନକୁ ଭାରତୀ ସମାଜର‌ ରାଷ୍ଟ୍ରୀୟ ସଂଯୋଜକ ଡ଼ ପ୍ରମୋଦ ରଥ ପରିଚାଳନା କରିଥିଲେ। ସେହିପରି ଦ୍ବିତୀୟ ଅଧିବେଶନକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ଼ ଅତୁଳ କୁମାର ପ୍ରଧାନ କରିଥିଲେ। ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ଆୟୋଜନ ରେ ଭାରତୀ ସମାଜ ଏବଂ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ସଦସ୍ୟ ମାନେ ସହଯୋଗ ଦେଇଥିଲେ।
ଆଲୋଚନା ଚକ୍ରରେ ସମ୍ବଲପୁର ର ବିଶିଷ୍ଟ ଗବେଷକ ଦୀପକ କୁମାର ପଣ୍ଡା ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ବିଭିନ୍ନ ସ୍ଥାନ ଏବଂ ବିଶ୍ଵ ପାଇଁ ଆକର୍ଷଣର କାରଣ ବିଷୟରେ ବକ୍ତବ୍ୟ ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ