ଓଡ଼ିଶା ଓ ତେଲେଙ୍ଗନାର ରାଜଧାନୀ ଠାରୁ ଟପିଗଲା ରେଜିଷ୍ଟ୍ରେସନ ବିଭାଗର ବେଞ୍ଚମାର୍କ ମୂଲ୍ୟ: ପାରଳାଖେମୁଣ୍ଡିରେ ଏକର ପିଛା ୬୧ କୋଟି ଟଙ୍କା ନିର୍ଧାରଣ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ


ପାରଳାଖେମୁଣ୍ଡି:୨୬/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ରେଜିଷ୍ଟେସନ ବିଭାଗର ଅଜବ ନୀତି ଯୋଗୁଁ ସର୍ବସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଓ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଠାରୁ ଅତ୍ୟଧିକ ମୂଲ୍ୟାଙ୍କନ ଏକର ପିଛା ନିର୍ଧାରଣ କରାଯାଇଛି. ପାରଳାଖେମୁଣ୍ଡି ସହରରେ ବର୍ତ୍ତମାନ ଏହି ଜମିର ଏକର ପିଛା ମୂଲ୍ୟ 61 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ବୋଲି ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ଉଦବେଗ ପ୍ରକାଶ କରାଯାଇ ଏହାର ଦୃଢ ବିରୋଧ କରାଯାଇଛି. ତୁରନ୍ତ ଏହାର ପ୍ରତ୍ୟାହାର କରାନଗଲେ ଆନ୍ଦୋଳନ କରାଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, ପାରଳାଖେମୁଣ୍ଡି ରେଜିଷ୍ଟେସନ ଅଫିସ ତରଫରୁ ବର୍ତ୍ତମାନ ଏକର ପିଛା ସରକାରଙ୍କ ଧାର୍ଯ୍ୟ ଜମି ମୂଲ୍ୟ ଏବେ ୬୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି. ଫଳରେ ଜମି ମୂଲ୍ୟାୟନ କ୍ଷେତ୍ରରେ ପାରଳାଖେମୁଣ୍ଡି ଏବେ ହାଇଦ୍ରାବାଦ ଓ ଭୁବନେଶ୍ଵରକୁ ବି ଟପିଯାଇଛି। କଟକ, ସମ୍ବଲପୁର, ରାଉଲକେଲା ଓ ବ୍ରହ୍ମପୁର ଠାରୁ ମଧ୍ୟ ପାରଳାଖେମୁଣ୍ଡିରେ ଜମିର ସରକାରୀ ବେଞ୍ଚମାର୍କ ମୂଲ୍ୟ ୧୦ ଗୁଣ ପର୍ଯ୍ୟନ୍ତ ଅଧିକ ବୃଦ୍ଧି ପାଇଛି। ଏହାକୁ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବିରୋଧ କରାଯାଇଛି। ବେଞ୍ଚମାର୍କ ଭାଲ୍ୟୁଏସନ କମିଟିର ପୁନର୍ଗଠନ ଓ ଜମି ମୂଲ୍ୟ ପୁନଃନିର୍ଦ୍ଧାରଣ କରିବାକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରାଯାଇଛି। ନଚେତ୍ ବଡ଼ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି। ସଂଘର ଉପଦେଷ୍ଟା ତଥା ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଅଶ୍ବିନୀ ପାଢ଼ୀ, ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା ଓ ଉପସଭାପତି ଆଶାଲତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରକାଶିତ ତଥ୍ୟ ଅନୁସାରେ ଓଡ଼ିଶାରେ ଜମି ବିକାକିଣା ପାଇଁ ଷ୍ଟାମ୍ପଡ୍ୟୁଟି ଆଦାୟ ନିମନ୍ତେ କରାଯାଇଥିବା ବେଞ୍ଚମାର୍କ ଭାଲ୍ୟୁଏସନ ଓଡ଼ିଶାର ସମସ୍ତ ସହର ଏବଂ ନଗରରେ ଲାଗୁ କରାଯାଇଛି କିନ୍ତୁ ପାରଳାଖେମୁଣ୍ଡିରେ ନିର୍ଦ୍ଧାରିତ ମୂଲ୍ୟତୁଳନାରେ ଏହା ଅଧିକ। ଉଦାହରଣ ସ୍ବରୂପ ଭୁବନେଶ୍ଵର ସହରର ସତ୍ୟନଗରରେ ଧାର୍ଯ୍ୟ କରାଯାଇଥିବା ଏକର ପିଛା ମୂଲ୍ୟାୟନ ୧୭ କୋଟି ୬୦ଲକ୍ଷ ଧାର୍ଯ୍ୟ ହୋଇଥିବା ବେଳେ ପାରଳାଖେମୁଣ୍ଡି ରାଜାଦାଣ୍ଡରେ ତାହାର ମୂଲ୍ୟାୟନ କରାଯାଇଛି ୬୦ କୋଟି ୫୮ଲକ୍ଷ ଏହା କେବଳ ଭୁବନେଶ୍ଵର ଠାରୁ ବହୁଗୁଣରେ ଅଧିକ ନୁହେଁ, ବରଂ ଓଡ଼ିଶା ବାହାରେ ହାଇଦ୍ରାବାଦ ଠାରୁ ବି ୩ ଗୁଣା ଅଧିକ. ଏଭଳି ଭିତ୍ତିହୀନ ଓ ଅଦୂରଦର୍ଶୀ ନିଷ୍ପତ୍ତି ଯୋଗୁଁ ପାରଳାଖେମୁଣ୍ଡିରେ ଭୂମି କିଣିବା ଏବଂ ବିକିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଲାଣି। ସରକାରଙ୍କ ନିର୍ଦ୍ଦେଶନାମା ଓ ନିୟମାବଳୀ ଏଥିପାଇଁ ଦାୟୀ ନା’ ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କ ‘ମେରି ରାୟ ନୀତି’ ଏଥିପାଇଁ ଦାୟୀ ତାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ କରିବାର ଆବଶ୍ୟକ‌ତା ରହିଛି ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି. ତୁଳନାତ୍ମକ ଭାବେ ଦେଖିଲେ ପାରଳାଖେମୁଣ୍ଡି ସହର ଓଡ଼ିଶାର ଅନ୍ୟାନ୍ୟ ପୌର ପରିଷଦ ସହର ଠାରୁ ବିକାଶ ଦୃଷ୍ଟିରେ ପଛୁଆ ଓ ଆର୍ଥିକ ନୀତି ଦୃଷ୍ଟିରୁ ଢେର୍ ପଛରେ ପଡ଼ିଥିବା ବେଳେ ଏହାର ବେଞ୍ଚମାର୍କ ଭାଲ୍ୟୁଏସନ୍ ଭୁବନେଶ୍ବର ଓ କଟକ ପରି ଦୃଢ଼ ଅର୍ଥନୀତିର ସହର ଠାରୁ ଅଧିକ ମୂଲ୍ୟାୟନ କରାଯିବା ସରକାର ତଥା ପ୍ରଶାସନର ଅଦୂରଦର୍ଶୀତାକୁ ସୂଚାଉଛି ବୋଲି ସଂଘ ଅଭିଯୋଗ କରିଛି।