ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ଅକ୍ଟୋବର ମାସ ପାଇଁ ‘ପେ ଆଣ୍ଡ ଉଇନ୍’ ବିଜେତା ଙ୍କ ନାମ ଘୋଷଣା


ସମ୍ବଲପୁର: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍) ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇ ଗତ ଅକ୍ଟୋବର ମାସ ପାଇଁ ‘ପେ ଆଣ୍ଡ ଉଇନ୍ ସ୍କିମ୍’ ମାଧ୍ୟମରେ ବିଜେତା ମାନଙ୍କର ଚୟନ ଅନଲାଇନ୍ ମାଧ୍ୟମରେ କରାଯାଇଅଛି । ଏହି ସାମ୍ୱାଦିକ ସମ୍ମିଳନୀ ସମ୍ୱଲପୁର ସ୍ଥିତ ଟିପିଡବ୍ଲ୍ୟୁଓଡିଏଲ କମର୍ସିଆଲ୍ ବିଭାଗର ମୁଖ୍ୟ କାର‌୍ୟ୍ୟାଳୟଠାରେ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ କୁମାର ବର୍ମାଙ୍କ ବ୍ୟତୀତ ଅନ୍ୟାନ୍ୟ ବିଭାଗର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ । ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ସେବାରେ ଉନ୍ନତିକରଣ ପାଇଁ ମାସିକ ବିଦ୍ୟୁତ୍ ବିଲ୍ ପୈଠ କରିବା ଉପଭୋକ୍ତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓ ଲକ୍ଷ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ସେମାନଙ୍କ ମାସିକ ବିଲ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତ୍ୟେକ ମାସରେ ପ୍ରଦାନ କରିଥାନ୍ତି । ଏହି ସ୍କିମ୍ ମାଧ୍ୟମରେ ସେହି ଉପଭୋକ୍ତାମାନଙ୍କୁ କମ୍ପାନୀ ତରଫରୁ ପୁରଷ୍କାର ସ୍ୱରୂପ ଏକ ଛୋଟ ଉପହାର ପ୍ରଦାନ କରାଯିବା ସହିତ ଅନ୍ୟ ଉପଭୋକ୍ତାଙ୍କୁ ମାସିକ ବିଦ୍ୟୁତ୍ ବିଲ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଦାନ କରିବା ପାଇଁ ଉତ୍ସାହିତ କରାଯାଇଥାଏ ଓ ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ଏହି ଯୋଜନାର ପ୍ରଚଳନ ଗତ ଅଗଷ୍ଟ ମାସରୁ ଆରମ୍ଭ କରାଯାଇଅଛି । ପ୍ରକାଶଥାଉ କି, ଏହି ସ୍କିମର ନିୟମ ଅନୁସାରେ ଟିପିଡବ୍ଲ୍ୟୁଓଡିଏଲର ଯୋଗ୍ୟ ଗ୍ରାହକଙ୍କ ମଧ୍ୟରେ ସ୍ୱୟଂ ଚାଳିତ କମ୍ପ୍ୟୁଟର୍ ଦ୍ୱାରା ପ୍ରତ୍ୟେକ ଉପଖଣ୍ଡ ପାଇଁ ୩ ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଚୟନ କରାଯାଇଥାଏ ଏବଂ ସେହି ଉପଭୋକ୍ତଙ୍କୁ ପ୍ରଥମ ପୁରସ୍କାର ଭାବେ ଏକ ସ୍ମାର୍ଟ ଫୋନ୍, ଦ୍ୱିତୀୟ ପୁରସ୍କାର ଭାବେ ଏକ ସାରେଗାମା କାରମା ଏବଂ ତୃତୀୟ ପୁରସ୍କାର ଭାବେ ଏକ ସୋଲାର ଲ୍ୟାମ୍ପ ଉପହାର କରାଯାଇଥାଏ । ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ମାସ ପାଇଁ ଏହି ଯୋଜନା ଅଧିନରେ ସମଗ୍ର ପଶ୍ଚିମ ଓଡ଼ିଶାରୁ ୫ ଲକ୍ଷ ୧୮ ହଜାର ୨୫୭ ଜଣ ବିଦ୍ୟୁତ୍ ଉପଭୋକ୍ତା ଯୋଗ୍ୟ ବିବେଚିତ ହୋଇଥିଲେ ।ଯେଉଁମାନଙ୍କ ମଧ୍ୟରୁ ସ୍ୱୟଂ ଚାଳିତ କମ୍ପ୍ୟୁଟର ଦ୍ୱାରା ଲକି ଡ୍ର ମାଧ୍ୟମରେ ୫୭ ଟି ଉପଖଣ୍ଡରୁ ୧୭୧ ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଜେତା ଭାବେ ଚୟନ କରାଯାଇଥିଲା ।