ଏନ୍ ଏସ୍ ସି ବି କଲେଜରେ “ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କବିତା” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର


ସମ୍ବଲପୁର: ସମ୍ବଲପୁର ସହରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସରକାରୀ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଆ.କ୍ୟୁ.ଏ.ସି.ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପ୍ରଦୀପ କୁମାର ହରପାଲ୍ ଙ୍କ ସଭାପତିତ୍ବରେ “ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କବିତା ” ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ବିଶିଷ୍ଟ କବି ଓ ସାହିତ୍ୟ ସମାଲୋଚକ ଶ୍ରୀଯୁକ୍ତ ସୌଭାଗ୍ୟବନ୍ତ ମହାରଣା ମୁଖ୍ୟଅତିଥି, ବିଶିଷ୍ଟ କବି ଓ ଅନୁବାଦକ ତଥା ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ଭୀମ ଭୋଇ ଚେୟାର ପ୍ରଫେସର ଡକ୍ଟର ପ୍ରଦୀପ କୁମାର ପଣ୍ଡା ଏବଂ ସୁପରିଚିତ ଯୁବକବି ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ପଣ୍ଡା ଅତିଥି ବକ୍ତା ଭାବରେ ଯୋଗଦାନ କରିଥିଲେ। ଅତିଥିମାନେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ତଥା ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶ୍ରଦ୍ଧାମୟୀ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ପାନରେ ବିଭାଗମୁଖ୍ୟ ତଥା ସହକାରୀ ପ୍ରଫେସର ଡକ୍ଟର ଶ୍ୟାମ ଭୋଇ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ପାଠଚକ୍ର ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଆ ବିଭାଗର ଅନ୍ୟତମ ଅଧ୍ୟାପିକା ଶ୍ରୀମତୀ ମେଞ୍ଜା ପୂର୍ତ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ଅଧ୍ୟକ୍ଷ ଡକ୍ଟର ପ୍ରଦୀପ କୁମାର ହରପାଲ୍ ଆଲୋଚନାଚକ୍ରର ଗୁରୁତ୍ଵ ଏବଂ ଉପାଦେୟତା ବିଷୟରେ ମାର୍ମିକ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ମହାବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ ତଥା ସ୍ନାତକୋତ୍ତର ଇତିହାସ ବିଭାଗମୁଖ୍ୟ ପ୍ରଫେସର ଦୁଲଭ କୁମାର ସା ଏବଂ ଆଇ. କ୍ୟୁ.ଏ. ସି. ସଂଯୋଜକ ସହକାରୀ ପ୍ରଫେସର ଡକ୍ଟର ରଘୁମଣି ନାଏକ ପ୍ରମୁଖ ଆଲୋଚନାଚକ୍ର ଆୟୋଜନର ଗୁରୁତ୍ଵ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅତିଥି ବକ୍ତା କବି ଦୁର୍ଗାପ୍ରସାଦ ପଣ୍ଡା ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କବିତା ପ୍ରସଙ୍ଗରେ ନିଜସ୍ଵ ମନ୍ତବ୍ୟ ପ୍ରକାଶ କରି କହିଥିଲେ ଯେ କବି ହିଁ ସମାଜର ଉତ୍କଟ ହଳାହଳକୁ କିପରି ନୀଳକଣ୍ଠ ଭଗବାନ ଶଙ୍କରଙ୍କ ପରି ପାନ କରିଥାନ୍ତି। କବି ଭୋଗୁଥିବା ଯନ୍ତ୍ରଣାର କଥା ଆପଣାର କବିତାରେ ପ୍ରକାଶ କରନ୍ତି। ଦଳିତ ଚେତନାର କଥା କହିଲାବେଳେ ସ୍ଵର୍ଗତଃ କବି ଅଖିଳ ନାୟକଙ୍କ କଥା ଉପସ୍ଥାପନ କରିଥିଲେ। ବିଷୟ ବିଶେଷଜ୍ଞ ବିଶିଷ୍ଟ କବି ଡକ୍ଟର ପ୍ରଦୀପ କୁମାର ପଣ୍ଡା ସ୍ଵାଧୀନତା ପରବର୍ତ୍ତୀ ସମୟର ଓଡ଼ିଆ କବିମାନଙ୍କ ଉଦାହରଣ ଦେଇ ବକ୍ତବ୍ୟ ଉପସ୍ଥାପନ କରିବା ସହିତ ସ୍ନାତକୋତ୍ତର ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କବିତା “ଗଣିତ ମାଷ୍ଟ୍ରେ” କବିତାର ସାରାଂଶ ବୁଝାଇଥିଲେ। ସମ୍ପାନର ମୁଖ୍ୟଅତିଥି କବି ଶ୍ରୀଯୁକ୍ତ ସୌଭାଗ୍ୟବନ୍ତ ମହାରଣା ଆଲୋଚ୍ୟ ସମୟ ଖଣ୍ଡର ବିଭିନ୍ନ କବିଙ୍କ କବିତା ଉପରେ ଏକ ପୂର୍ଣ୍ଣାଙ୍ଗ ସାରଗର୍ଭକ ତଥା ମାର୍ମିକ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସମ୍ପାନରେ ଉପସ୍ଥିତ କବି ତ୍ରୟ ନିଜ ନିଜର କାବ୍ୟାଯାତ୍ରାର ମହାର୍ଘ ଅନୁଭବର କଥା କହି ଉପସ୍ଥିତ ଛାତ୍ରଛାତ୍ରୀ ସମୁଦାୟଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ବିଭାଗ ତରଫରୁ ଅତିଥି ତ୍ରୟଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା ଏବଂ ଏହାକୁ ସଂଯୋଜନା କରିଥିଲେ ଅଧ୍ୟାପକ ରୋଶନ ଭୋଇ। ବିଭାଗର ସ୍ନାତକୋତ୍ତର ଦ୍ଵିତୀୟ ବର୍ଷର ଛାତ୍ରୀ ଜୟାଦେବୀ ବାବୁ ” ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ବିକାଶଧାରା”, ସ୍ନାତକୋତ୍ତର ଦ୍ଵିତୀୟ ବର୍ଷର ଛାତ୍ରୀ ପ୍ରଭାତୀ ପଧାନ “ରମାକାନ୍ତ ରଥଙ୍କ ‘ଶ୍ରୀରାଧା’ : ଏକ ଅନୁଶୀଳନ” ଏବଂ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରୀ ଭୋଜରାଣୀ ତାଣ୍ଡିଆ “ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ସ୍ଵରୂପ ଓ ପ୍ରଭାବ” ଆଦି ପ୍ରବନ୍ଧ ଉପସ୍ଥାପନ କରିଥିଲେ। ବିଭାଗର ଛାତ୍ରୀ ପ୍ରିୟଙ୍କା ମୁନା, ଅଲିଭା ମେହେର, ଚନ୍ଦ୍ରକାନ୍ତି ସୁନା, ଲିସା ପଧାନ, ବବ୍ଲି ଷାଣ୍ଢ ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବାବେଳେ ଶେଷରେ ସହକାରୀ ପ୍ରଫେସର ଡକ୍ଟର ରଶ୍ମିତା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପାଠଚକ୍ର ସମ୍ପାଦକ ସ୍ନାତକୋତ୍ତର ଦ୍ଵିତୀୟ ବର୍ଷର ଛାତ୍ର ଶାନ୍ତନୁ କୁମାର ଦାନୀଙ୍କ ସମେତ ଜୟାଦେବୀ ବାବୁ, ବିଷ୍ଣୁପ୍ରିୟା ବାରିକ, ଯମୁନା ବାଗ, ପ୍ରତ୍ୟୁଷ ସାହୁ, ଆଲୋକ ପଣ୍ଡା, ସୌରଭ, ଉମା ପାତ୍ର, ନିତୁ ରୋହିଦାସ ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଶେଷରେ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ର ଶ୍ରୀମାନ ହେମନ୍ତ ଖୁଟୁଲା ଚମତ୍କାର ଘୁବୁକୁଡୁ ବାଦ୍ୟ ପରିବେଷଣ କରି ଅତିଥିମାନଙ୍କ ସହ ଉପସ୍ଥିତ ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ। ଏହା ସହିତ କବି କମଳ ଲୋଚନ ପଣ୍ଡା ଏହି ଅବସରରେ ସ୍ଵରଚିତ କବିତା ପାଠ କରିବା ସହିତ ସଙ୍ଗୀତ ପରିବେଷଣ କରିଥିଲେ।ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଓ ସକ୍ରିୟ ଅଂଶଗ୍ରହଣ ଫଳରେ ଆଲୋଚନାଚକ୍ର ସାଫଲ୍ୟମଣ୍ଡିତ ହୋଇଥିଲା। ଏହି ଅବସରରେ କବି ପ୍ରଦୀପ କୁମାର ପଣ୍ଡା ତାଙ୍କ ରଚିତ ତଥା ସମ୍ପାଦିତ ସମସ୍ତ ପୁସ୍ତକରୁ ଖଣ୍ଡିଏ ଲେଖାଏଁ ଓଡ଼ିଆ ବିଭାଗର ସେମିନାର ଲାଇବ୍ରେରୀକୁ ପ୍ରଦାନ କରିଥିବାବେଳେ କବି ସୌଭାଗ୍ୟବନ୍ତ ମହାରଣା ଓ କମଳ ଲୋଚନ ପଣ୍ଡା ତାଙ୍କର ସଦ୍ୟ ପ୍ରକାଶ ପାଇଥିବା ପୁସ୍ତକ ମଧ୍ୟ ପ୍ରଦାନ କରିଥିଲେ।