ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ


କେନ୍ଦ୍ରାପଡ଼ା : ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ। ୩ମାସ ଯାଏ ଭିତରକନିକା ବୁଲିପାରିବେନି ପର୍ଯ୍ୟଟକ। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା। ଭିତରକନିକାରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଛି । ଏହାକୁ ଆଖି ଆଗରେ ରଖି ଉଭୟ ପର୍ଯ୍ୟଟକ ଓ କୁମ୍ଭୀରଙ୍କ ସୁରକ୍ଷା ଦୃଷ୍ଟିରୁ ରାଜନଗର ବନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ଅବଧିରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଭିତରକନିକା ଭ୍ରମଣ ଉପରେ କଟକଣା ଲାଗିଛି। ପ୍ରଜନନ ଋତୁ ସମୟରେ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧନ୍ତି । ନଦୀକୂଳ ଠାରୁ ଜୁଆର ଛୁଇଁପାରୁନଥିବା ନିରାପଦ ସ୍ଥାନରେ ବସାବାନ୍ଧି ଅଣ୍ଡା ଦେଇଥାନ୍ତି । ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି । ସେମାନଙ୍କୁ ବାଧାଦେଲେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି ।