ଭୁବନେଶ୍ବର: ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି । ସରକାର ଆଣିପାରନ୍ତି ୱାନ୍ ଟାଇମ୍ ସେଟେଲମେଣ୍ଟ (OTS) ବ୍ୟବସ୍ଥା । ହେଲେ ଏହାପରେ ନିୟମ କଡ଼ାକଡ଼ି ହେବ । ଚାଲାଣ ଅର୍ଥ ଆଦାୟ ପାଇଁ ଗାଡି ମାଲିକଙ୍କ ପାଖକୁ କୋର୍ଟରୁ ସମନ ପଠାଯିବ ।
ପରିବାହନ ବିଭାଗର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ଇ-ଚାଲାଣ ବାବଦକୁ ୧୨ ଶହ ୧୫ କୋଟି ଟଙ୍କା ଆଦାୟ ନହୋଇ ପଡ଼ିରହିଛି । ୨୯ ଲକ୍ଷ ୭୭ ହଜାର ୭୧୮ଟି ଇ-ଚାଲାଣ ବାବଦକୁ ପରିବହନ ବିଭାଗରେ ଜରିମାନା ଦାଖଲ କରି ନାହାନ୍ତି ଗାଡ଼ି ମାଲିକ । ଏତେ ପରିମାଣର ଅନାଦେୟ ଜରିମାନ ଅର୍ଥ ଆଦାୟ କରିବାକୁ ଏବେ OTS କଥା ଚିନ୍ତା କରୁଛନ୍ତି ରାଜ୍ୟ ସରକାର ।
ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, ଗଲା ୪ ବର୍ଷରେ ଇ-ଚାଲାଣ ବାବଦକୁ ଅର୍ଥକୁ OTS ଜରିଆରେ ଆଦାୟ କରାଯିବା ପରେ ନିୟମ କଡ଼ାକଡ଼ି ହେବ। ପରବର୍ତ୍ତୀ ସମୟରେ ଅର୍ଥ ଆଦାୟ ପାଇଁ କୋର୍ଟରୁ ସମନ ମଧ୍ୟ ପହଞ୍ଚିବ । ପରିବହନ ବିଭାଗ ତଥ୍ୟ କହୁଛି ୨୦୨୦ରୁ ଚଳିତ ବର୍ଷ ମେ ମାସ ଭିତରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟ ୫୬ ଲକ୍ଷ ୮୧ ହଜାର ୯୯୩ଟି ଇ-ଚାଲାଣ କଟାଯାଇଥିଲା । ସେ ଭିତରୁ ଏବେ ବି ୨୯ ଲକ୍ଷ ୭୭ ହଜାର ୭୧୮ଟି ଚାଲାଣ ବାବଦକୁ ଜରିମାନା ଅର୍ଥ ଆଦାୟ ହୋଇପାରିନି, ଯାହା ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଏତେ ପରିମାଣରେ ଇ-ଚାଲାଣ କେମିତି କଟାଗଲା ଏବଂ ଚାଲାଣ ବାବଦକୁ ଜରିମାନା ଅର୍ଥ କାହିଁକି ଅନାଦେୟ ରହିଲା, ତାର କାରଣ ଦର୍ଶାଇଛନ୍ତି ସଡ଼କ ସୁରକ୍ଷା କର୍ମୀ ରବି ଶତପଥୀ । ତାଙ୍କ ମତରେ ଦୁର୍ଘଟଣା ରୋକିବାକୁ ପରିବହନ ଓ ପୋଲିସ ବିଭାଗ କେବଳ ଗାଡ଼ି ଚାଳକଙ୍କଠାରୁ ଫାଇନ୍ କାଟିବାକୁ ହିଁ ମୁଖ୍ୟ କାମ ଭାବି ନେଇଥିଲେ । ଆଉ ଏ ଭିତରେ ବହୁ ସଂଖ୍ୟାରେ ଫାଇନ ଅନାବଶ୍ୟକ ଭାବେ କଟାଯାଇଛି ।