ପଞ୍ଜାବ: ସ୍ବର୍ଣ୍ଣ ମନ୍ଦିର ଫାଟକ ନିକଟରେ ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼ । ଆଜି ସକାଳେ ଘଟିଛି ଏହି ଘଟଣା । ତେବେ ବାଦଲ ସୁରକ୍ଷିତ ଥିବା ଜଣାପଡ଼ିଛି ।
ଗୁଳି ମାରିଥିବା ବ୍ୟକ୍ତି ଧରାପଡ଼ିଛନ୍ତି । ତାଙ୍କ ନାଁ ନାରାୟଣ ସିଂହ ଚୋରହା । ସେ ବାବର ଖାଲସା ଇଣ୍ଟରନ୍ୟାସନାଲର ଜଣେ ପୂର୍ବତନ ଆତଙ୍କବାଦୀ ବୋଲି ଜଣାପଡ଼ିଛି । ସେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଚଳାଇବା ପରେ ସେଠାରେ ଉପସ୍ଥିତ ସ୍ୱର୍ଣ୍ଣ ମନ୍ଦିର କର୍ମଚାରୀ ଓ ଶ୍ରଦ୍ଧାଳୁମାନେ ତାଙ୍କୁ କାବୁ କରି ତାଙ୍କ ପାଖରୁ ପିସ୍ତଲ ଛଡ଼ାଇ ନେଇଥିଲେ । ଏହା ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।
୨୦୦୭ରୁ ୨୦୧୭ ମଧ୍ୟରେ ଶିରୋମଣି ଅକାଳୀ ସରକାର ସମୟରେ ଏକ ଧାର୍ମିକ ଅପବିତ୍ରୀକରଣ ମାମଲା ସହିତ ଅନ୍ୟାନ୍ୟ ଭୁଲ୍ କରି ଅକାଲ ତଖ୍ତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଦଣ୍ଡ ସ୍ୱରୂପ ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟ ଗୁରୁଦ୍ୱାରରେ ଶୌଚାଳୟ, ବାସନ ଓ ଜୋତା ସଫା କରିବା ସହିତ ଅନ୍ୟ କାର୍ଯ୍ୟ କରିବାକୁ କୁହାଯାଇଛି । ତେବେ ତାଙ୍କ ଗୋଡ଼ ଭାଙ୍ଗିଥିବାରୁ ସେ ଦୁଇ ଦିନ ହେବ ସ୍ୱର୍ଣ୍ଣ ମନ୍ଦିରର ଫାଟକ ସମ୍ମୁଖରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ହୁଇଲ ଚେୟାରରେ ବସି ହାତରେ ଏକ ବର୍ଚ୍ଛା ଧରି ସେ ଏହି ସେବା କରୁଛନ୍ତି । ଆଜି ସକାଳେ ସେ ଏହି ସେବା କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ।