ସମ୍ବଲପୁର:ନାକଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ଆଜି ଏଡସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଜି ପ୍ରଭାତରେ ଯୁଥ୍ ରେଡକ୍ରସର କାଉନସିଲର ଅଧ୍ଯାପକ ସରୋଜ କୁମାର ଭୁଏ ଙ୍କ ତତ୍ତ୍ଵାବଧାନରେ ଟିକିରାସେତୁ ରାସ୍ତାର ଉଭୟପଟ ନାକଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ବାରା ସଫେଇ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏଡସ୍ ସଚେତନତା କାର୍ଯ୍ୟକ୍ରମରେ ଡଃ. ସୁରଭି ସାମଲ, ଡଃ. ମନୋରଞ୍ଜନ ପ୍ରଧାନ,ଡଃ.ପ୍ରଶାନ୍ତ କୁମାର ଦାଶ, ଜିତେନ୍ଦ୍ରିୟ ପ୍ରଧାନ ଓ ଅଞ୍ଜନା କୁମାରୀ ସାହୁ ଅତିଥି ଭାବେ ଯୋଗଦେଇ ଏଡସ୍ ରୋଗର ଲକ୍ଷଣ, କାରଣ ଓ ତାର ନିରାକରଣ ସଂପର୍କରେ ଆଲୋଚନା କରିଥିଲେ । ଛାତ୍ରମାନଙ୍କ ମଧ୍ଯରେ ରୋସନ ଦେହୁରୀ,ସ୍ବାଗତ ସାହୁ,ସତ୍ଯ ନାରାୟଣ ସାହୁ ଓ ପ୍ରଭାସିନୀ ପ୍ରଧାନ ଆଲୋଚନାରେ ଭାଗ ନେଇଥିଲେ । ଏଇ ଅବସରରେ ଆୟୋଜିତ ହୋଇଥିବା ପ୍ରବନ୍ଧ, ସାଧାରଣଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ନୂତନ ଭାବେ 50 ଜଣ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ଯୁବ ରେଡକ୍ରସ ଶାଖାରେ ଅଧିଗ୍ରହଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ଯାପକ ସରୋଜ କୁମାର ଭୁଏ ସଂଯୋଜନା କରିଥିବାବଳେ ଅଧ୍ଯାପକ ହୁସେନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।