କର୍ଣ୍ଣାଟକ: ପୁଣି ଧୋକ୍କା ଦେଲା ଗୁଗଲ ମ୍ୟାପ । ଦୁଇଦିନ ତଳେ ଓଡ଼ିଶାରେ ଗୁଗଲ ମ୍ୟାପ କାରଣରୁ ଏକ କାର କେନାଲକୁ ଖସି ପଡ଼ିଥିବା ବେଳେ ଏବେ କର୍ଣ୍ଣାଟକରୁ ଆସିଛି ସମାନ ଅଭିଯୋଗ । ଗୁଗଲ ମ୍ୟାପ୍ କାରଣରୁ ଏକ କାର ରାସ୍ତା ଛାଡ଼ି ଜଙ୍ଗଲରେ ପଶିଯାଇଥିବା ଅଭିଯୋଗ ହୋଇଛି । ବିହାରରୁ ଗୋଆ ଯାଉଥିବା ଏକ ପରିବାର ଗୁଗଲ୍ ମ୍ୟାପ୍ ମାୟାରେ ବାୟା ହୋଇ ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଛନ୍ତି ।
ନିକଟରେ ଗୁଗୁଲ ମ୍ୟାପ୍କୁ ଭରସା କରି ଅନେକ ଜୀବନ ଯାଇଛି । ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ବିହାରର ଏକ ପରିବାରକୁ ଗୁଗଲ ମ୍ୟାପ୍ ଉପରେ ଭରସା କରିବା ମହଙ୍ଗା ପଡିଛି । ଏମାନେ ବିହାରରୁ ଗୋଆ ଯାଉଥିଲେ । ହେଲେ ସଠିକ୍ ବାଟ ପାଇବା ପାଇଁ ଗୁଗଲ ମ୍ୟାପର ସାହାରା ନେଇଥିଲେ । ତେବେ ଗୁଗଲ ମ୍ୟାପ୍ର ଭୁଲ୍ ନେଭିଗେସନ୍ ହେତୁ କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ଖାନପୁର ଅଞ୍ଚଳର ଜଙ୍ଗଲରେ ଏମାନଙ୍କୁ ରାତି କଟାଇବାକୁ ପଡିଛି ।
ସର୍ଟକଟ୍ ପାଇଁ ଗୁଗଲ ମ୍ୟାପର ବ୍ୟବହାର କରିଥିଲେ ପରିବାର । ଏହା ପରେ ଜଙ୍ଗଲ ଦେଇ ଏକ ଛୋଟ ରାସ୍ତା ଦେଖାଇଥିଲା । ଶିରୋଲି ଏବଂ ହେମାଡାଗା ନିକଟ ଜଙ୍ଗଲ ଦେଇ ଏକ ଛୋଟ ମାର୍ଗକୁ ନିର୍ଦ୍ଦେଶ ଦେଇଥିଲା ମ୍ୟାପ୍ । ବିପଦ ବିଷୟରେ ଜାଣି ନଥିବାରୁ ପ୍ରାୟ ଆଠ କିଲୋମିଟର ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ପ୍ରବେଶ କରିଥିଲେ ପୂର ପରିବାର ।
ଏହାପରେ ଘଞ୍ଚ ଜଙ୍ଗଲ ଭିତରେ ସେମାନେ ବାହାରକୁ ଯିବାକୁ ଆଉ ବାଟ ପାଇ ନଥିଲେ । କେବଳ ସେତିକି ନୁହେଁ ମୋବାଇଲ୍ ନେଟ୍ଓ୍ୱର୍କ କନେକ୍ସନ ନଥିବାରୁ ହରଡଘଣାରେ ପଡିଥିଲେ । ବାହାରକୁ ବାହାରିବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତ ସଫଳ ହୋଇପାରି ନଥିଲେ । ତେଣୁ ବାଧ୍ୟ ହୋଇ ପୂରା ପରିବାରକୁ ଜଙ୍ଗଲ ଭିତରେ ହିଁ ରାତି ବିତାଇବାକୁ ପଡିଥିଲା । ପରଦିନ ସକାଳେ, ୪ କିଲୋମିଟର ଚାଲିବା ପରେ ମୋବାଇଲ୍ ନେଟୱାର୍କ ପାଇଥିଲେ । ଏହାପରେ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ୧୧୨କୁ ଫୋନ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରେ ଫସି ରହିଥିବା ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ।