ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ଦୁର୍ଘଟଣା । ବସ୍ ମାଡ଼ିଯାଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ । ମୃତକମାନେ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ ନାଉପାଳକାଟେଣୀ ଗାଁର ସାଗର ପ୍ରଧାନ, ପିନୁ ସାହୁ ଏବଂ ସୁମନ୍ତ ପରିଡା ।
ଖଇରାମୁଣ୍ଡା ଗାଁରେ ଜଣେ ବ୍ୟକ୍ତିଙ୍କର ଛାତ ପଡ଼ିଥାନ୍ତା । ଏଥିପାଇଁ ୩ ଜଣ ଏକ ବାଇକ୍ ଯୋଗେ ରଡ଼ ବାଇଣ୍ଡିଙ୍ଗ କରିବା ପାଇଁ ଖଇରାମୁଣ୍ଡା ଗାଁକୁ ଯାଉଥିଲେ । ଏହି ସମୟରେ ଭୋଳାନାଥ ନାମକ ଯାତ୍ରୀବାହୀ ବସ୍ଟି ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସାଗରଙ୍କ ମୃତ୍ୟୁ ଘଟିଥିବା ବେଳେ ପିନୁ ଏବଂ ସୁମନ୍ତଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ତାଳଚେର-ଡ଼ୁବୁରୀକୁ ଯାତାୟତ ଠପ୍ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛି ।
ବସ୍ ମାଡ଼ିଯାଇ ତିନି ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
