ମହିଳା ମହାବିଦ୍ୟାଳୟରେ ଉଦଜାନ-ଭିତ୍ତିକ ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଆଲୋଚନାଚକ୍ର
ସମ୍ବଲପୁର:ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ “ସ୍ପିନ ଆଧାରିତ ଅକ୍ଷୟ ଉଦଜାନ ଶକ୍ତି ଉତ୍ପାଦନ ଏବଂ ନାନୋ ଉତ୍ପାଦକ” ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଆଲୋଚକ ଭାବରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ. ଦେବବ୍ରତ ମିଶ୍ର ଯୋଗଦାନ କରିଥିଲେ । ଅଧୁନା ଶକ୍ତି ସଙ୍କଟ ତଥା ଶକ୍ତି ଉତ୍ପାଦନ ଜନିତ ପ୍ରଦୂଷଣ କାଳଖଣ୍ଡରେ ସବୁଜ ଶକ୍ତି ଉତ୍ପାଦନ ଏକ ଆହ୍ବାନରେ ପରିଣତ ହୋଇଛି । ଏହି ଅବସରରେ ସମାନ୍ତର ଇଲେକ୍ଟ୍ରନ ସ୍ପିନ ପ୍ରକ୍ରିୟାରେ ଜଳରୁ ଉଦଜାନ ରୂପକ ସବୁଜ ଶକ୍ତି ଉତ୍ପାଦନ ସମସ୍ତ ସଙ୍କଟ ଦୂର କରି ପାରିବ ବୋଲି ପ୍ରଫେସର ମିଶ୍ର କହିଥିଲେ । ପ୍ରଫେସର ମିଶ୍ରଙ୍କ ତତ୍ତ୍ଵାବଧାନରେ ଏକ ଗବେଷକ ମଣ୍ଡଳୀ ଏ କ୍ଷେତ୍ରରେ ଅନେକ ପ୍ରଗତି କରିଥିବାର ସୂଚନା ପ୍ରଦାନ କରିଥିଲେ । ଅଧ୍ୟକ୍ଷା ପ୍ରଫେସର ବରାଳ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ସ୍ୱଚ୍ଛ ଶକ୍ତିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ. ରାକେଶ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ ସଭା ସଂଯୋଜନା କରିଥିଲେ I ବିଭାଗର ଛାତ୍ରୀମାନେ ବେଦମନ୍ତ୍ର ପାଠ କରିଥିଲେ । ଭିସୁଟ୍ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ ଅକ୍ଷୟ କୁମାର ପଟ୍ଟନାୟକ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ I ଏହି ସଭାରେ ଶତାଧିକ ଛାତ୍ରୀ ଏବଂ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ ।
ମହିଳା ମହାବିଦ୍ୟାଳୟରେ ଉଦଜାନ-ଭିତ୍ତିକ ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଆଲୋଚନାଚକ୍ର
