ସମ୍ବଲପୁର:ଅନ୍ୟତମ ମ୍ୟାନେଜମେଂଟ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଓଡ଼ିଶାର ପ୍ରୋଜେକ୍ଟ ପଏଣ୍ଟ ସହଯୋଗରେ ଏହାର କ୍ୟାମ୍ପସରେ ଆନ୍ତର୍ଜାତିକ ପର୍ଯ୍ୟଟନ ବିକାଶ ପାଇଁ ଯୁବ ସମ୍ମିଳନୀ (ଆଇୱାଇସିଟିଡି) ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ପର୍ଯ୍ୟଟନ, ବିଶ୍ୱ ଯୁବକ କେନ୍ଦ୍ର, ଓଡ଼ିଶା ପର୍ଯ୍ୟଟନ, ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସମେତ ରାଜ୍ୟର ପ୍ରମୁଖ ଶିଳ୍ପ ଏବଂ ଆଇଆଇଏମ୍ ସମ୍ବଲପୁର ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସହଯୋଗ କରିଥିଲେ। ପଶ୍ଚିମ ଓଡ଼ିଶାର ଚମତ୍କାର ପର୍ଯ୍ୟଟନକୁ ପ୍ରଦର୍ଶିତ କରିବା ସହ ନେତୃତ୍ୱ, ଯୁବ ସଶକ୍ତୀକରଣ ଏବଂ ଆନ୍ତଃ-ସାଂସ୍କୃତିକ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏହି ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ଥିଲା। ଏହା ଦ୍ୱାରା ବିଶ୍ୱର ବିଭିନ୍ନ ଯୁବଗୋଷ୍ଠୀଙ୍କ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରାଯାଇପାରିଛି।
ଏହି ଅବସରରେ ସାଧାରଣ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାସଙ୍କ ସମେତ ଆଇୱାଇସିଟିଡି କାର୍ଯ୍ୟକ୍ରମ ଆବାହକ, ବିପିନ ମହାନ୍ତି, ସିୱାଇଏସଡିର ସହ-ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁ, ବିଶ୍ୱ ଯୁବକ କେନ୍ଦ୍ର ସିଇଓ ଉଦୟ ଶଙ୍କର ସିଂ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଡ. ଉମା ଚରଣ ପତି ଓ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ତାଙ୍କ ଅଭିଭାଷଣରେ ଯୁବଗୋଷ୍ଠୀଙ୍କ ସଶକ୍ତୀକରଣ ଏବଂ ଉଦ୍ଭାବନ ଦିଗରେ ଅନୁଷ୍ଠାନର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ‘ପଶ୍ଚିମ ଓଡ଼ିଶାରେ ଅନେକ ଆକର୍ଷଣ ରହିଛି ଯେଉଁଥିରେ ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟ, ଐତିହ୍ୟ ସ୍ଥଳ, ଦୁଃସାହସିକ ପର୍ଯ୍ୟଟନ ସୁଯୋଗ, ବନ୍ୟଜନ୍ତୁ ଏବଂ ଏକ ଅନନ୍ୟ ଆଦିବାସୀ ସଂସ୍କୃତି ରହିଛି। ଏହି ଅଂଚଳର ଜୀବନ୍ତ ସାଂସ୍କୃତିକ ଐତିହ୍ୟ, ବିବିଧ ରୋଷେଇ ପରମ୍ପରା, ଉତ୍କୃଷ୍ଟ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଏହାକୁ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଭାବରେ ସ୍ଥାନିତ କରିଛି। ଏହି ପଦକ୍ଷେପ ମାଧ୍ୟମରେ ଆଇଆଇଏମ୍ ସମ୍ବଲପୁର ଓଡ଼ିଶାର ଜୀବନ୍ତ ଐତିହ୍ୟ, ପ୍ରାକୃତିକ ପରିବେଶ ଏବଂ ଆଦିବାସୀ ସଂସ୍କୃତିକୁ ଏକ ପ୍ରମୁଖ ବିଶ୍ୱ ପର୍ଯ୍ୟଟନ ଆକର୍ଷଣ ଭାବରେ ସ୍ଥାନିତ କରିବା ସହିତ ଯୁବକଯୁବତୀମାନଙ୍କୁ ସଶକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ପ୍ରଫେସର ଜୟସ୍ୱାଲ ଆଇଆଇଏମ୍ ସମ୍ବଲପୁରର ମାଇଲଖୁଣ୍ଟ ଉପରେ ମଧ୍ୟ ଆଲୋକପାତ କରିଥିଲେ।
ଏହି ସମ୍ମିଳନୀରେ ସମସ୍ତ ୨୮ଟି ରାଜ୍ୟ, ଭାରତର ୩ଟି କେନ୍ଦ୍ରଶାସିତ ଅଂଚଳ ଏବଂ ୨୨ଟି ଦେଶର ପ୍ରାୟ ୪୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ପର୍ଯ୍ୟଟନ ଭ୍ରମଣ ଓ ଆତିଥେୟତା ପରିଚାଳନା, ଆର୍ôଥକ ପରିଚାଳନା, ମାର୍କେଟିଂ ମ୍ୟାନେଜମେଂଟ୍ଇଭେଣ୍ଟ ମ୍ୟାନେଜମେଂଟ୍ ସମେତ ବିଭିନ୍ନ ପୃଷ୍ଠଭୂମି ଓ କ୍ଷେତ୍ରର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ପର୍ଯ୍ୟଟନ ପ୍ରୋତ୍ସାହନ, ନେତୃତ୍ୱ ଏବଂ ନିରନ୍ତର ବିକାଶ ଉପରେ ଆଲୋଚନା ପାଇଁ ଏହି ଶିଖର ସମ୍ମିଳନୀ ଏକ ଜୀବନ୍ତ ମଞ୍ଚ ଭାବେ କାର୍ଯ୍ୟ କରିଥିଲା। ଓଡ଼ିଶାରେ ପର୍ଯ୍ୟଟନ ଓ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣକୁ ଆଗକୁ ବଢ଼ାଇବା ପାଇଁ ଯୁବ ଲିଡର, ଶିକ୍ଷାବିତ୍, ନୀତି ନିର୍ଧାରକ ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ଏକାଠି କରି ସୁଯୋଗ ସମ୍ପର୍କରେ ଆଲୋଚନା କରିବା ସହ କାର୍ଯ୍ୟକ୍ଷମ ରଣନୀତି ପ୍ରସ୍ତୁତ କରିଥିଲେ। ସମ୍ମିଳନୀ ପୂର୍ବରୁ ଆଇଆଇଏମ୍ ସମ୍ବଲପୁର ଉପରେ ଏକ ଡିସ୍କଭରି ଚ୍ୟାନେଲ ବୃତଚିତ୍ର ପ୍ରଦର୍ଶିତ ହେବା ସହିତ ଏହି ଦିବସ ଶେଷ ହୋଇଥିଲା।