ଆଇଆଇଏମ୍ ସମ୍ବଲପୁର ଓ ଶ୍ରୀଶ୍ରୀ ୟୁନିଭର୍ସିଟି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ:ନବୀନତା, ଗବେଷଣା ଓ ସମଗ୍ର ଶିକ୍ଷାକୁ ଆଗେଇ ନେବା ପାଇଁ ପ୍ରୟାସ
ସମ୍ବଲପୁର: ଅଗ୍ରଣୀ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ ସମ୍ବଲପୁର ଏବଂ ଶ୍ରୀଶ୍ରୀ ୟୁନିଭର୍ସିଟି (ଏସଏସୟୁ) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଏକ ବୁଝାମଣା ପତ୍ରର ଉଦ୍ଦେଶ୍ୟ ହେଉଛି ନବୀନତା, ଗବେଷଣା ଓ ସମଗ୍ର ଶିକ୍ଷାକୁ ଉତ୍ସାହିତ କରି ଦୁଇ ସଂସ୍ଥା ମଧ୍ୟରେ ଦୀର୍ଘମିଆଦୀ ଶିକ୍ଷା ଓ ଗବେଷଣା ସହଭାଗିତା ଗଢ଼ି ତୋଳିବା। ଏହା ଅଧୀନରେ ଯୁକ୍ତ ଭାବେ ୱର୍କସପ୍, ଗବେଷଣା ପ୍ରକଳ୍ପ, ପ୍ରକାଶନ ଓ ଶିକ୍ଷାର୍ଥୀ ବିନିମୟ କାର୍ୟ୍ୟକ୍ରମ ସହିତ ବିଭିନ୍ନ ପ୍ରୟାସ ହେବ।
ଏହି ଅବସରରେ ଶ୍ରୀଶ୍ରୀ ୟୁନିଭର୍ସିଟିର ସ୍ଥାପକ ଶ୍ରୀଶ୍ରୀ ରବିଶଙ୍କର ଯୋଗଦେଇଥିଲେ । ଏହାସହ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୈସୱାଲ ଓ ଶ୍ରୀଶ୍ରୀ ୟୁନିଭର୍ସିଟିର ଅଧ୍ୟକ୍ଷା ପ୍ରଫେସର (ଶ୍ରୀମତୀ) ରଜିତା କୁଲକର୍ଣ୍ଣୀ ଉପସ୍ଥିତ ଥିଲେ। ଦୁଇ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ଅଧ୍ୟାପକବୃନ୍ଦ ମଧ୍ୟ ଏହି ଅବସରକୁ ଗୌରବାନ୍ୱିତ କରିଥିଲେ।
ଏହି ବୁଝାମଣା ପତ୍ର ଅନୁଯାୟୀ, ଉଭୟ ଅନୁଷ୍ଠାନ ମିଳିତ ଭାବେ ଡାଟା ସାଇନ୍ସ ଓ ଏହାର ସଂଶ୍ଳିଷ୍ଟ କ୍ଷେତ୍ରସମୂହ ସହିତ ସମ୍ପୃକ୍ତ ବିଷୟରେ ଶିକ୍ଷାସମ୍ବନ୍ଧୀୟ ୱାର୍କସପ୍, ସେମିନାର, ୱେବିନାର ଓ ସ୍ୱଲ୍ପମିଆଦୀ ପାଠ୍ୟକ୍ରମ ଆୟୋଜନ କରିବେ। ଏହି ସହଯୋଗ ଅନ୍ତର୍ଗତ ଗତିଶୀଳ ଶିକ୍ଷାର୍ଥୀ ବିନିମୟ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ କରାଯିବ । ଏହାସହ ଉଭୟ ସଂସ୍ଥାର ଶିକ୍ଷାର୍ଥୀମାନେ ଯୁକ୍ତ ଶିକ୍ଷା କାର୍ଯ୍ୟକ୍ରମ ଓ ଅନୁଭବାଧାରିତ ପ୍ରକଳ୍ପରେ ଅଂଶଗ୍ରହଣ କରିବେ, ଯେଉଁଠାରେ ଆଶ୍ରୟ ଓ ଲଜିଷ୍ଟିକ ସହାୟତା ପାଇଁ ମଧ୍ୟ ବ୍ୟବସ୍ଥା ରହିବ। ଏଥିପାଇଁ ଉଭୟ ସଂସ୍ଥା ଯୁକ୍ତ ଭାବେ ଗବେଷଣା ଓ ପ୍ରକାଶନ କାର୍ଯ୍ୟକଳାପ କରିବେ, ଜାତୀୟ ଓ ଆନ୍ତର୍ଜାତୀୟ ଏଜେନ୍ସୀଠାରୁ ଅନୁଦାନ ନିମନ୍ତେ ଆବେଦନ କରିବେ ଓ ପ୍ରତିଷ୍ଠିତ ସମୀକ୍ଷିତ ଜର୍ନାଲରେ ସହ-ଲେଖିତ ଗବେଷଣା ପତ୍ର ପ୍ରକାଶ କରିବେ।
ଏହି ଅବସରରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଥିଲେ “ଆମେ ଶ୍ରୀଶ୍ରୀ ୟୁନିଭର୍ସିଟି ସହିତ ଏହି ସହଯୋଗରେ ଅତ୍ୟନ୍ତ ଆନନ୍ଦିତ। ଏହା ନବୀନତା ଓ ସମଗ୍ର ଶିକ୍ଷାକୁ ଉତ୍ସାହିତ କରିବା ସହିତ ସମାଜମୁଖୀ ମୂଲ୍ୟବୋଧ ସହ ଆଧୁନିକ ପରିଚାଳନା ଶିକ୍ଷାକୁ ସମନ୍ୱୟ କରିବାରେ ଦୁଇ ସଂସ୍ଥାର ସାଧାରଣ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ। ଏହି ସହଯୋଗ ଡାଟା ସାଇନ୍ସ, କୃତ୍ରିମ ବୁଦ୍ଧିମତା, ପରିଚାଳନା, ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ଓ ଆଧ୍ୟାତ୍ମିକତା ଭଳି ଉଦୟମାନ କ୍ଷେତ୍ର ଉପରେ ଗୁରୁତ୍ୱ ଦେବ। ଆମେ ସେହି ଭବିଷ୍ୟତ ନେତାମାନଙ୍କୁ ଗଢ଼ି ତୋଳିବାକୁ ପ୍ରତିବଦ୍ଧ, ଯେଉଁମାନେ ନବୀନ ଓ ପ୍ରତିଭାଶାଳୀ ହେବା ସହିତ ନୈତିକତା ଓ କରୁଣାରେ ମୂଳଭିତ ହେବେ।”
ଏହି ସହଯୋଗ ଓଡ଼ିଶାର ଉଚ୍ଚଶିକ୍ଷା ମାନଚିତ୍ରରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରିଛି। ଏହା ଉଭୟ ସଂସ୍ଥାର ଦୃଷ୍ଟିକୋଣକୁ ସୁଦୃଢ଼ କରୁଛି ।

