Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟିକୁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ

ବାରିପଦା: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୪ ତାରିଖରେ ଓଡ଼ିଶା ପହଞ୍ଚିବେ ମହାମହିମ। ରାଷ୍ଟ୍ରପତି ହେବା ପରେ ସେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିକୁ ଆସୁଛନ୍ତି। ଏହି ୩ ଦିନଆ ଗସ୍ତରେ ସେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର, ପାହାଡପୁର ଓ ବାରିପଦା ଗସ୍ତ କରିବେ ରାଷ୍ଟ୍ରପତି। ୬ତାରିଖରେ ଦିଲ୍ଲୀ ଫେରିବେ ବୋଲି ଜଣାପଡ଼ିଛି।

ଏହି ଗସ୍ତ ସମୟରେ ନିଜ ଗାଁ ପାହାଡପୁରରେ ରାଷ୍ଟ୍ରପତିଙ୍କ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଗୋସାଣି ପରିଦର୍ଶନ, ନାବାର୍ଡ ପକ୍ଷରୁ ଏସଏଲଏସ ଟ୍ରଷ୍ଟ ସ୍କୁଲ ପାଇଁ ନିର୍ମିତ ହେବାକୁ ଥିବା କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ପରି ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ୫ ତାରିଖ ଶୁକ୍ରବାର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ସ୍ଥାନ ଦାଣ୍ଡବୋଷରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ମଧ୍ୟାହ୍ନ ୧୨ଟାରେ ଶିମିଳିପାଳ ଅଭୟାରଣ୍ୟ ବୁଲିଯିବେ ମହାମହିମ । ସେଥିପାଇଁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ପାଇଁ ଦୁଇ ଦିନ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ ।

ଶିମିଳିପାଳ ବୁଲିବା ପରେ ଅତିଥିଭବନରେ ରାତ୍ରିଯାପନ କରିବେ । ୬ ତାରିଖ ଦିନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ପୂର୍ବାହ୍ନ ୧୧.୧୫ରୁ ମଧ୍ୟାହ୍ନ ୧୨.୧୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବେ ମହାମହିମ। ଏହାପରେ ରାଷ୍ଟ୍ରପତିଙ୍କ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଥିବା ପ୍ରକାଶ।