ଜିଏସଟି କାଉନସିଲ ବୈଠକରେ ବଡ଼ ନିଷ୍ପତ୍ତି


ନୂଆଦିଲ୍ଲୀ: ରାଜସ୍ଥାନ ଜୈସଲମେରରେ ହୋଇଥିବା ଜିଏସଟି କାଉନସିଲ ବୈଠକରେ ବଡ଼ ନିଷ୍ପତ୍ତି । ଜିନ୍ ଥେରାପିରେ ଲାଗିବ ନାହିଁ କୌଣସି ପ୍ରକାର ଜିଏସଟି । ସେହିପରି ପୁରୁଣା ଇଭି କିଣାରେ ମଧ୍ୟ ଲାଗିବନି ଜିଏସଟି । କିନ୍ତୁ ପୁରୁଣା କାର କିଣାବିକାରେ ବଢ଼ିଲା ଜିଏସଟି । ପୂର୍ବରୁ ୧୨ ପ୍ରତିଶତ ଲାଗୁଥିବା ବେଳେ ଏବେ ଏହାକ ବୃଦ୍ଧି କରାଯାଇ ୧୮ ପ୍ରତିଶତ କରିଦିଆଯାଇଛି ।
ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଫୋର୍ଟିଫାଏଡ୍ ରାଇସରେ ଜିଏସଟିକୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିସାଇଲରେ ଲାଗିବ ନାହିଁ ଆଇଜିଏସଟି । ଏହା ଦ୍ଵାରା ରପ୍ତାନୀ ବୃଦ୍ଧି ହୋଇପାରିବ । ଇ-କମର୍ସ ଜରିଆରେ ଫୁଡ୍ ଡେଲିଭରି ଉପରେ କିନ୍ତୁ ଜିଏସଟି ଲଗାଯିବ କି ନାହିଁ, ତାହା ନିଷ୍ପତ୍ତି ନିଆଯାଇ ନାହିଁ ।
କେତେକ ରାଜ୍ୟ ପ୍ରସ୍ତାବ ଦେଇଥିଲେ ଏଭିଏନ୍ ଟର୍ବାଇନ ଫୁଏଲକୁ ଜିଏସଟି ପରିସରଭୁକ୍ତ କରାଯାଉ । କିନ୍ତୁ ଏହାକୁ ନେଇ ସହମତି ହୋଇପାରିନାହିଁ । କେତେକ ରାଜ୍ୟ ବିରୋଧ କରିବାରୁ ନିଷ୍ପତ୍ତି ନିଆଯାଇ ପାରିନାହିଁ । ସ୍ଵାସ୍ଥ୍ୟବୀମା ଉପରେ ମଧ୍ୟ ନିଷ୍ପତ୍ତି ନେବାକୁ ଆହୁରି ଆଲୋଚନା ଦରକାର ଓ ଆଇଆରଡିଏର ମତାମତକୁ ଅପେକ୍ଷା କରାଯାଇଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ୫୦ ପ୍ରତିଶତରୁ ଅଧିକ ଫ୍ଲାଏ ଆସ୍ ଥିବା ଏସିସିରେ ଲାଗିବ ୧୨ ପ୍ରତିଶତ ଜିଏସଟି, କୌଣସି ଚାଷୀଠାରୁ ଗୋଳମରିଚ ପାଇଁ ଜିଏସଟି ନିଆଯିବ ନାହିଁ । ଋଣକୁ ନେଇ ବ୍ୟାଙ୍କ ଓ ଏନବିଏଫସି ଦ୍ଵାରା ଜରିମାନା କରାଗଲେ, ସେହି ଜରିମାନା ଉପରେ ଜିଏସଟି ଲାଗିବ ନାହିଁ ନିଷ୍ପତ୍ତି ହୋଇଛି ।