Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଡ଼ିଆଳରେ ଚନ୍ଦନ ଯାତ୍ରା ଉଦଘାଟିତ

ଖଡ଼ିଆଳ : ଚନ୍ଦନ ଯାତ୍ରା ଓଡ଼ିଶାର ଏକ ପ୍ରସିଦ୍ଧ ଯାତ୍ରା । ଭଗବାନ ଜଗନ୍ନାଥଙ୍କ ବିଭିନ୍ନ ଯାନି ଯାତରା ମଧ୍ୟରେ ଦୀର୍ଘଦିନ ଧରି ପାଳିତ ହେଉଥିବା ଯାତ୍ରା ହେଉଛି ହେଉଛି ଚନ୍ଦନ ଯାତ୍ରା। ପୁରୀ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳିତ ହୋଇଥାଏ। ଆଜି ଠାରୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା, ଏହା ପାଞ୍ଚ ଦିନ ଧରି ଚାଲିବ ଓ ପାଞ୍ଚ ତାରିଖରେ ଉଦଯାପିତ ହେବ।ଏଥିପାଇଁ ନିଲଜି ବନ୍ଧ(ପୋଖରୀ)ରେ ଦେବାଦେବୀଙ୍କ ନୌକା ବିହାରର ବ୍ୟବସ୍ଥା କରାଯାଇଛି। ଖଡ଼ିଆଳ ଠାରେ ଥିବା ସାତଟି ମନ୍ଦିର ଯଥା ବଡ଼ ଦଧିବାମନ ମନ୍ଦିର, ସାନ ଦଧିବାମନ ମନ୍ଦିର,ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ମନ୍ଦିର, ରାଧାକୃଷ୍ଣ ମନ୍ଦିର,ଧବଳେଶ୍ବର ମନ୍ଦିର ଓ ହରଗୌରୀ ମନ୍ଦିରର ଦେବାଦେବୀ ବିମାନରେ ଆସି ଆଜାଦ ଛକ ହନୁମାନ ମନ୍ଦିରରେ ପହଞ୍ଚିଥିଲେ।ଶଙ୍ଖ ଘଣ୍ଟ ଧ୍ୱନି ସହ ସମସ୍ତଙ୍କୁ ପାଛୋଟି ଅଣା ଯାଇଥିଲା। ସେଠାରେ ସମସ୍ତ ଦେବାଦେବୀଙ୍କ ପୂଜାର୍ଚ୍ଚନା କରି ନିଲଜି ବନ୍ଧକୁ ଚାପ ଖେଳିବା ପାଇଁ ନିଆଯାଇଥିଲା।ଠାକୁର ମାନଙ୍କ ଚାପ ଖେଳ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା। ପରେ ସତସଙ୍ଗ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଖଡ଼ିଆଳ ହେଉଛି ସାହିତ୍ୟ ଓ ସଂସ୍କୃତିର ସହର। ଖଡ଼ିଆଳ ରାଜା ମାନେ ସାହିତ୍ୟ ସାଧନା ସହ କଳା ସଂସ୍କୃତିର ପୃଷ୍ଠପୋଷକ ଥିଲେ। ରାଜା ବ୍ରଜରାଜ ସିଂ ଦେଓଙ୍କୁ ଓଡ଼ିଆ ସାହିତ୍ୟରେ ଦ୍ଵିତୀୟ ଉପେନ୍ଦ୍ର ଭଞ୍ଜ କୁହାଯାଏ।ସେ ଓଡ଼ିଶାର ସର୍ଵ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଖଡ଼ିଆଳ ସାହିତ୍ୟ ସମିତିର ପ୍ରତିଷ୍ଠାତା ଥିଲେ। ସେହିପରି ତାଙ୍କ ପୁଅ ବିକ୍ରମ ଦେଵ ନାଟକର ପ୍ରଚାର ପ୍ରସାର ପାଇଁ ଓଡ଼ିଶାର ପ୍ରଥମ ସ୍ଥାୟୀ ରଙ୍ଗମଞ୍ଚ ବିକ୍ରମ ଥିଏଟର ପ୍ରତିଷ୍ଠା କରିଥିଲେ। ରାଜା ବ୍ରଜରାଜ ୧୮୮୯ ମସିହାରେ ପୁରୀ ଚନ୍ଦନ ଯାତ୍ରା ଦେଖିବାକୁ ଯାଇଥିଲେ। ପରେ ଖଡ଼ିଆଳ ଆସିଲା ପରେ ୧୮୯୦ ମସିହାରେ ଏଇଠି ସେ ଏହି ଯାତ୍ରା ଆରମ୍ଭ କରିଥିଲେ। ୧୯୪୬ ମସିହା ପର୍ଯ୍ୟନ୍ତ ଚାଲିବା ପରେ ଏହା ବନ୍ଦ ହୋଇ ଯାଇଥିଲା। କିଛି ବର୍ଷ ପରେ ପୁଣି ସହର ବାସୀ ଆରମ୍ଭ କରିଥିବା ବେଳେ କରୋନା ପାଇଁ ବନ୍ଦ ହୋଇ ଯାଇଥିଲା। ଏବର୍ଷ ପୁଣିଥରେ ଆରମ୍ଭ ହୋଇଥିବା ବେଳେ ଏହା ସବୁବର୍ଷ ପାଳନ କରାଯିବ ବୋଲି କମିଟି ସଦସ୍ୟ ପ୍ରକାଶ କରିଛନ୍ତି। ଏଥିରେ ସନ୍ତୋଷ ସିଂହ ବାରିକ, ରଞ୍ଜନ ବେହେରା, ଦାମୋଦର ନାଏକ, ଅଜୟ ସେବକ, ରତନ ସିଂହ, ମିଲିନ୍ଦ ଖମାରୀ, ରଶ୍ମି ପାଣିଗ୍ରାହୀ, ହୃଷୀ ସାହୁଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ