ପୁଅକୁ ବିକି ମାଂସ ଖାଇଲେ, ବାଇକ କିଣିଲେ


ବାରିପଦା: ଝିଅ ଚାହୁଁଥିଲେ । ହେଲେ ଜନ୍ମ ହେଲା ପୁଅ । ଆଉ ସେହି ପୁଅକୁ ୬୦ ହଜାର ଟଙ୍କାରେ ବିକ୍ରି କରିଦେଲେ । ସେହି ଟଙ୍କାରେ ମାଂସ କିଣି ଘରେ ରୋଷେଇ କରି ଖାଇଲେ । ୩୦ ହଜାର ଟଙ୍କା ଡାଉନ ପେମେଣ୍ଟ ଦେଇ ଏକ ବାଇକ କିଣିଲେ । ଘଟଣା ପ୍ରଘଟ ହେବା ପରେ ଧରାପଡିବା ଭୟରେ ଘରେ ତାଲା ପକାଇ ଏଣେ ତେଣେ ଲୁଚି ବୁଲିଲେ । ଏମିତି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ ।

ଖବର ଅନୁସାରେ, ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନଟାକଟା ପଞ୍ଚାୟତ ହଦମୌଦ ଗାଁର ଶାନ୍ତି ବେହେରା ତିନି ବର୍ଷ ତଳେ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ୍‌ ତୋଟାପଡ଼ା ଗାଁର ଧର୍ମୁ ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପୂର୍ବରୁ ଶାନ୍ତିଙ୍କର ଏକ ଶିଶୁପୁତ୍ର ଥିବା ବେଳେ ଧର୍ମୁଙ୍କୁ ବିବାହ କରିବା ପରେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଶାନ୍ତି ତୃତୀୟ ଥର ଗର୍ଭବତୀ ହୋଇଥିଲେ । ତେଣୁ ସ୍ୱାମୀ ଧର୍ମୁ ତାଙ୍କୁ ୧୯ ତାରିଖରେ ବାରିପଦା ପିଆରଏମ୍‌ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ ନେଉଥିଲେ ।

ମେଡିକାଲ୍‌ ଗଲା ବେଳେ ଧର୍ମୁ ନିଜ ମନର କଥା ପତ୍ନୀ ଶାନ୍ତିଙ୍କୁ କହିଥିଲେ । ଏଥର ଝିଅ ହେଲେ ତାକୁ ଧରି ଘରକୁ ଫେରିବି । ପୁଅ ଜନ୍ମ ହେଲେ ଘରକୁ ଫେରିବା ବାଟରେ କାହାକୁ ବିକି ଦେବି । ମେଡିକାଲ୍‌ରେ ଶାନ୍ତି ପୁଅ ଜନ୍ମ ଦେଇଥିଲେ । ମେଡିକାଲ୍‌ ଚେକ୍‌ଅପ୍‌ ପରେ ଶାନ୍ତି ଗତ ୨୨ ତାରିଖରେ ଡିସ୍‌ଚାର୍ଜ ହୋଇଥିଲେ । ଆଉ ଧର୍ମୁ ସତକୁ ସତ ଶିଶୁପୁତ୍ରକୁ ଉଦଳା ଉପଖଣ୍ଡ ଅଧୀନସ୍ଥ ସାଇଁକୁଳା ପଞ୍ଚାୟତ ମାଣିଚ ଗାଁର ନିଃସନ୍ତାନ ଦମ୍ପତିଙ୍କୁ ବିକି ଦେଇଥିଲେ । ଏଥିପାଇଁ କୁଆଡେ ଧର୍ମୁ ୬୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହେଉଛି । ସେଥିରୁ ୩୦ ହଜାର ଟଙ୍କା ଡାଉନ୍‌ ପେମେଣ୍ଟ ଦେଇ ଏକ ବାଇକ୍‌ କିଣି ଥିଲେ । ବାଇକ୍‌ ଓ ମାଂସ ଧରି ଘରେ ପହଞ୍ଚିଥିଲେ ଧର୍ମୁ । ସାଥୀରେ ଥିଲେ ପତ୍ନୀ ଶାନ୍ତି । ରାତିରେ ମାଂସ ରୋଷେଇ କରି ଖାଇଥିଲେ ।

ସକାଳେ ଗାଁ ଲୋକେ ଧର୍ମୁଙ୍କୁ ଶିଶୁ କଥା ପଚାରିଥିଲେ । ମେଡିକାଲ୍‌ରେ ଶିଶୁ ମରି ଯାଇଥିବା ଧର୍ମୁ କହିଥିଲେ । ହେଲେ ରାତିରେ ମାଂସ ଭୋଜି ଓ ଘରେ ବାଇକ ଦେଖି ଗାଁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଗାଁ ଲୋକେ ପିଲା ବିଷୟରେ ଖୋଳତାଡ କରିବାରୁ ଧର୍ମୁ ସ୍ୱୀକାର ସତ ମାନି ଯାଇଥିଲେ । ଏନେଇ ଖବର ସାମ୍ନାକୁ ଆସିବା ପରେ ମୟୂରଭଞ୍ଜ ଜିଲ୍ଲା ଶିଶୁଅଧିକାରୀ ମମତାମୟୀ ବିଶ୍ୱାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଖୁଣ୍ଟା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୋଗ ପରେ ସିଡବ୍ଲୁସି ଓ ସିଡିପିଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ମର୍ଧୁଙ୍କ ଘରେ ପହଞ୍ଚିଥିଲେ ପୋଲିସ୍‌, ସିଡବ୍ଲୁସି ଓ ସିଡିପିଓ କର୍ମଚାରୀ । ହେଲେ ସେମାନେ ଘରେ ତାଲା ପକାଇ ଚମ୍ପଟ ମାରିଥିଲେ । ଏପରିକି ଛୁଆ କିଣିଥିବା ଦମ୍ପତି ମଧ୍ୟ ଫେରାର ହୋଇଯାଇଛନ୍ତି । ପୋଲିସ୍‌ ଧର୍ମୁଙ୍କ ମୋବାଇଲ ନମ୍ୱର ଟ୍ରାକ୍‌ କରିଥିଲେ । ୨୭ ତାରିଖ ସନ୍ଧ୍ୟା ବେଳେ ତାଙ୍କ ମୋବାଇଲ୍‌ ଲୋକେସନ୍‌ ବାରିପଦା ଷ୍ଟେସନ୍‌ ବଜାର ବସ୍ତିରୁ ଆସିଥିଲା । ଏହା ପରେ ପୋଲିସ୍‌, ସିଡବ୍ଲୁସି ଓ ସିଡିପିଓ ମିଳିତ ଭାବେ ଚଢ଼ଉ କରିଥିଲେ । ହେଲେ ଚଢ଼ଉ ପୂର୍ବରୁ ସେମାନେ ଚମ୍ପଟ ମାରିଥିବା ଜଣାପଡ଼ିଛି ।