ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ସମ୍ବଲପୁରୀ ନାଟକ ପ୍ରତିଯୋଗିତା:ନାଟକ ଭଲ ହେଲେ ସମାଜ ସ୍ଥିର ରହିବ – ଧର୍ମେନ୍ଦ୍ର ପ୍ରଧାନ


• ଜୀବନଟି ନିଜସ୍ୱ ଢଙ୍ଗରେ ଏକ ନାଟକ, ମନର ଦୁଃଖକୁ ଭୁଲାଇବାର ମାଧ୍ୟମ
• ନାଟକରେ ଅନେକ ସୃଜନଶୀଳତା ରହିଥାଏ, ଯାହା ସମାଜ ପାଇଁ ବର୍ତ୍ତମାନର ଆବଶ୍ୟକତା
• ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କ ପାଇଁ ବହି ପାଠ୍ୟକ୍ରମକୁ ନାଟକ ଓ କ୍ରୀଡ଼ା ଆଧାରିତ କରାଯାଇଛି
ସମ୍ବଲପୁର:ଜୀବନଟି ନିଜସ୍ୱ ଢଙ୍ଗରେ ଏକ ନାଟକ । ଜୀବନର ଅଭିବ୍ୟକ୍ତିକୁ ପରିପ୍ରକାଶ କରିବା ଓ ମନର ଦୁଃଖକୁ ଭୁଲାଇବାର ମାଧ୍ୟମ ହେଉଛି ନାଟକ । ନାଟକ ଭଲ ହେଲେ ସମାଜ ସ୍ଥିର ରହିବ ବୋଲି ରବିବାର ସମ୍ବଲପୁର ଝାଡୁଆପଡା ଠାରେ “ବୀର ସୁରେନ୍ଦ୍ର ସାଏ ୨୭ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା”ର ଉଦଯାପନୀ ଉତ୍ସବରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
‘ଯୁବଉଦୟନ’ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନାଟକରେ ଅନେକ ସୃଜନଶୀଳତା ରହିଥାଏ । ନୂଆ ଚିନ୍ତାଧାରା ଥାଏ, ଯାହା ସମାଜ ପାଇଁ ବର୍ତ୍ତମାନର ଆବଶ୍ୟକତା । ସମାଜର ଆବେଗର ଅଭିବ୍ୟକ୍ତିର ମାଧ୍ୟମ ହେଉଛି ନାଟକ । ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଶୀତଳଷଷ୍ଠୀ ଯାତ୍ରା ହେଉ କିମ୍ବା ବରଗଡ଼ର ଧନୁଯାତ୍ରା ମହୋତ୍ସବ, ଏ ସବୁ ସମାଜକୁ ପାରମ୍ପରିକ ଭାବେ ଏକତାର ସୂତ୍ରରେ ବାନ୍ଧି ରଖିବାର ଏକ ମାଧ୍ୟମ ।
ଦେଶରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ଶିକ୍ଷା ପ୍ରଦାନ ସହ ବହି ପାଠ୍ୟକ୍ରମକୁ ନାଟକ ତଥା କ୍ରୀଡ଼ା ଆଧାରିତ କରାଯାଇଛି । ଏହା ଦ୍ୱାରା ପିଲାମାନେ ପାଠକୁ ଠିକରେ ବୁଝିବା ସହ ସେମାନଙ୍କ କ୍ରିଟିକାଲ ଥିଙ୍କିଂର ବିକାଶ ହେବ । ଆମ ସମାଜରେ ସାମାଜିକ ବା ସକରାତ୍ମକ ନାଟକର ପରମ୍ପରାକୁ ବଜାୟ ରଖିବା ଦିଗରେ ସମସ୍ତ ଜନସାଧାରଣ ବିଶେଷ ଭାବରେ କଳା ଓ ସାହିତ୍ୟ ପ୍ରେମୀ ଉଦ୍ୟମ କରିବା ଦରକାର ।
ଶ୍ରୀ ପ୍ରଧାନ କହିଛନ୍ତି ସମ୍ବଲପୁରୀ ନାଟକ, ଭାଷା, ସଂସ୍କୃତିର ପ୍ରଚାରପ୍ରସାରର ମୂଳ ଉଦ୍ଦେଶ୍ୟ ରଖି ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଏକ ପ୍ରଶଂସନୀୟ ପଦକ୍ଷେପ । ବୀର ସୁରେନ୍ଦ୍ର ସାଏ ଓଡ଼ିଶାର ଶୌର୍ଯ୍ୟମୟ ପରିଚୟର ଅନନ୍ୟ ପ୍ରତୀକ ଓ ଓଡ଼ିଆ ଜାତିର ଅସ୍ମିତାର ପରିଚୟ । ସେ ଜଣେ ବ୍ୟକ୍ତି ନୁହେଁ, ଜଣେ ବିଚାରଧାରା । ଏଭଳି ଜଣେ ସଂଗ୍ରାମୀଙ୍କ ନାମରେ ଏହି ନାଟକ ପ୍ରତିଯୋଗିତା ଆୟୋଜନ କରୁଥିବାରୁ ଆୟୋଜକ ଯୁବଉଦୟନର ସଦସ୍ୟମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।