ପୁରୀ: ନୂଆବର୍ଷର ଦ୍ବିତୀୟ ଦିନରେ ମଧ୍ୟ ପୁରୀରେ ଅସମ୍ଭାଳ ଭିଡ଼ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ । ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍ । ଶ୍ରୀଜିଉଙ୍କ ଦର୍ଶନ ଲାଗି ଗତ କିଛିଦିନ ହେଲା ପୁରୀରେ ପ୍ରବଳ ଭିଡ଼ ଲାଗୁଛି । ଆଜି ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ।
ଗତକାଲି ପୁରୀକୁ ପ୍ରାୟ ୫ ଲକ୍ଷରୁ ଅଧିକ ଭକ୍ତ ଆସିଥିବାରୁ ନୀତିକାନ୍ତିରେ ସମନ୍ୱୟ ରଖାଯାଇ ବିଳମ୍ବିତ ରାତି ଯାଏଁ ଦର୍ଶନ ଜାରି ରହିଥିଲା । ଦିନରେ ଅତ୍ୟଧିକ ଭିଡ଼ ହେବାରୁ ଠେଲାପେଲା ସ୍ଥିତି ଉପୁଜିଥିଲା । ଭକ୍ତମାନେ ବ୍ୟାରିକେଡ ଡେଇଁ ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସକୁ ଅତ୍ୟଧିକ କସରତ କରିବାକୁ ପଡ଼ିଥିଲା ।
ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ପୁରୀମୁହାଁ ହେଉଛନ୍ତି । ସେମାନେ ଦର୍ଶନ ସାରିବା ପରେ ପୁରୀରୁ ହଜାର ହଜାର ଗାଡ଼ି ଫେରୁଛି । ଫଳରେ ପିପିଲି ଟୋଲ ଗେଟରେ ପୁରୀ ମୁହାଁ ଗାଡ଼ି ଓ ପୁରୀରୁ ଫେରୁଥିବା ଗାଡ଼ି ସବୁ ଅଟକି ରହିବାରୁ ସ୍ଥିତି ଅସମ୍ଭାଳ ହେଉଛି । ଟୋଲଗେଟରେ ଫାଷ୍ଟାଗର ସୁବିଧା ଥିଲେ ବି ବହୁ ସଂଖ୍ୟକ ଗାଡ଼ି ଆସିଥିବାରୁ ଘଣ୍ଟା ଘଣ୍ଟା ଧରି ତାହା ଛିଡ଼ା ହୋଇ ରହିଥିଲା । ଗତ ରାତିରେ ଏପରି ସ୍ଥିତି ଉପୁଜିବାରୁ ଖବର ପାଇ ପିପିଲି ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଗାଡ଼ି ଚଳାଚଳ ସ୍ୱାଭାବିକ କରିଥିଲା ।