ଭୁବନେଶ୍ବର: ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭାମପତି । ଓଡ଼ିଶାରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଆସନ୍ତାକାଲି ରାଜ୍ୟପାଳ ଭାବେ ଶପଥ ନେବେ ।
ଡଃ କମ୍ଭାମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ ମାସ ଜେଲ୍ ଯାଇଥିଲେ । ସେ ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ ।
ଓଡ଼ିଶାର ରାଜ୍ୟପାଳ ଥିବା ଝାଡ଼ଖଣ୍ଡର ବିଜେପି ନେତା ରଘୁବର ଦାସଙ୍କୁ ହଟାଇ ଦିଆଯାଇଛି । ଝାଡ଼ଖଣ୍ଡରେ ବିଜେପିର ପରାଜୟ ପଛରେ ରଘୁବର ଦାସ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ମୂଳ କାରଣ ବୋଲି ଚର୍ଚ୍ଚା ହେଉଛି । ତା’ଛଡ଼ା ଜଣେ ଓଡ଼ିଆ ଏଏସଓଙ୍କ ପ୍ରତି ରାଜ୍ୟପାଳଙ୍କ ପୁଅର ଅମାନବୀୟ ଆଚରଣକୁ ନେଇ ରାଜ୍ୟର ବିଜେପି ସରକାରକୁ ମଧ୍ୟ ବଦନାମ ମୁଣ୍ଡାଇବାକୁ ପଡ଼ିଥିଲା ।