ସମ୍ବଲପୁର: କଣ୍ଟାପାଲିରେ ହାଇୱା ମଡ଼ାଇ ୨ ବିଜେପି ନେତାଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ଡ୍ରାଇଭରଙ୍କୁ ତିନିଦିନ ରିମାଣ୍ଡରେ ଦେବ ପୋଲିସ । ଗିରଫ ଅଭିଯୁକ୍ତ ଡ୍ରାଇଭର ପ୍ରସନ୍ନ ଜେନାମଣି ବାରମ୍ବାର ନିଜ ବୟାନ ବଦଳାଉଥିବା ବେଳେ, ସତ ବାହାର କରିବାକୁ କୋର୍ଟଙ୍କୁ ୭ ଦିନିଆ ରିମାଣ୍ଡ ମାଗିଥିଲା ବୁର୍ଲା ପୋଲିସ । ତେବେ କୋର୍ଟ ତିନିଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।
ଡ୍ରାଇଭର ଜଣକ କ’ଣ ପାଇଁ ଏପରି ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଘଟାଇଲେ ? ଘଟଣା ବେଳେ ତାଙ୍କ ସହ କିଏ ଥିଲେ କି ? ବିଜେପି ନେତାଙ୍କୁ ହତ୍ୟା ପାଇଁ କାହାଠୁ ସୁପାରୀ ପାଇଥିଲେ କି ? ଡବଲ ମର୍ଡର ପଛରେ ବେଆଇନ୍ ଫ୍ଲାଇ ଆସ୍ ପରିବହନକୁ ବିରୋଧ ? ନା ବିଜେପି ନେତାମାନେ ଅନ୍ୟ କେଉଁ କାରଣ ପାଇଁ କାହାର ଟାର୍ଗେଟରେ ଥିଲେ ? ରାସ୍ତାରେ ସାଇଡ୍ ମରାକୁ ନେଇ ହାଇୱା ଡ୍ରାଇଭର ସହ ଟକରା ଟକରି ହତ୍ୟା ପଛର କାରଣ କି ? ଏ ତମାମ ଦିଗକୁ ନେଇ ତଦନ୍ତ ଜାରି ରହିଛି ।
ସୂଚନାଯୋଗ୍ୟ, ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କାରକୁ ହାଇୱା ଧକ୍କା ଦେବାରୁ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ । ମୃତକ ଦ୍ୱୟ ହେଲେ ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଏବଂ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ ।