Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠକ ହଂସିତା ଘରେ ପଶିଲେ ଆୟକର ଅଧିକାରୀ, ୧୨ ସ୍ଥାନରେ ଚଢ଼ାଉ

ଭୁବନେଶ୍ବର: ମହାଠକ ହଂସିତା ଅଭିଏୀପ୍ସା ଘରେ ପଶିଲେ ଆୟକର ଅଧିକାରୀ । ଅଫିସ ସହ ଦେଶର ୧୨ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ । ପତି ସହ ମିଶି ନର୍ଲାରୁ ଦିଲ୍ଲୀ ଓ ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ଲମ୍ବିଥିଲା ଏମାନଙ୍କ ଠକେଇର ସାମ୍ରାଜ୍ୟ । ନିଜକୁ ପତି-ପତ୍ନୀର ପରିଚୟ ଦେଇ ଲୋକଙ୍କୁ ଠକି ଠୁଳ କରିଥିଲେ କୋଟି କୋଟି ଟଙ୍କା । ବିନା ଲୋନରେ ଦାମୀ କାର୍‌ କିଣିବାକୁ ନେଇ ବିବାଦରେ ପଡ଼ିଥିଲେ ହଂସିତା ଅଭିଲିପ୍ସା ଓ ତାଙ୍କ ପାର୍ଟନର ଅନୀଲ ମହାନ୍ତି । ଆଜି ମହାଠକ ହଂସିତାଙ୍କ ଘର ସମେତ ଅଫିସରେ ଚଢ଼ାଉ କରିଛି ଆୟକର ଟିମ୍‌ । ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ । ଏହାସହ ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍‌ର ଖୋଳତାଡ଼ କରୁଛି ଆୟକର ଟିମ୍‌ ।

ହଂସିତା ଏବଂ ଅନୀଲ ପତିପତ୍ନୀ ହୋଇ ନ ଥିବା ବେଳେ ଉଭୟ କିନ୍ତୁ ଦୀର୍ଘ ଦିନ ହେଲା ନିଜକୁ ପତିପତ୍ନୀର ପରିଚୟ ଦେଇ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍‌ ଆପାର୍ଟମେଣ୍ଟରେ ରହୁଥିଲେ । ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁ ବୋଲି ମିଛ ପରିଚୟ ଦେଇ କରୁଥିଲେ ଲୁଟ୍‌ ।

ଏମାନେ କେଉଁଠି ମୁଖ୍ୟ ଶାସନ ସଚିବଙ୍କ ସହ ତ ଆଉ କେଉଁ ପୂର୍ବତନ CAG ଗିରୀଷ ମୁର୍ମୁଙ୍କ ସହିତ ଫଟୋ ଏଡିଟ୍‌ କରି ରଖିଛନ୍ତି । ସେହି ସବୁ ଫଟୋକୁ ଅସ୍ତ୍ର କରି ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚା ମାଲ ଯୋଗାଣ ପାଇଁ ଖଣି ମାଲିକଙ୍କୁ ଟେଣ୍ଡର ଦେବା, ବିଲଡରଙ୍କୁ ଜମି, ପ୍ଲଟ ସହ ବିଲଡିଂ ଆପ୍ରୁଭାଲ୍ କରାଇବା ଆଦିର ଲୋଭ ଦେଖାଇ ସେମାନଙ୍କଠାରୁ ମୋଟା ଅଙ୍କର ଚୂନା ଲଗାଇ କୋଟି କୋଟି ଟଙ୍କା ଠୁଳ କରିଥିଲେ ।

ଗତ ଜାନୁୟାରୀ ମାସରେ ଅନୀଲଙ୍କ ଜନ୍ମ ଦିନରେ ତାଙ୍କୁ ୪ କୋଟି ୩୦ ଲକ୍ଷ ଟଙ୍କାର କାର୍‌ ଗିଫ୍ଟ ଦେଇଥିଲେ ହଂସିତା । ଉକ୍ତ ଟଙ୍କାକୁ ସେ କ୍ୟାସ୍‌ ଆକାରରେ ଦେଇଥିଲେ । ଏହାକୁ ନେଇ ସେ ଆୟକର ବିଭାଗ ଓ କମିଶନରେଟ ପୋଲିସ୍‌ ନଜରକୁ ଚାଲି ଆସିଥିଲେ । ଏହାପରେ ପୋଲିସ୍‌ ଉଭୟଙ୍କୁ ବାନ୍ଧି ଜେଲରେ ଭର୍ତ୍ତି କରିବା ସହ ସେମାନଙ୍କ ଠକେଇ ଚେର କେତେ ଦୂର ଲମ୍ବିଛି ତାହାର ତଦନ୍ତ କରୁଛି । ଏପରିକି ଆଉ କିଏ କିଏ ଏହି ଠକେଇର ମାୟାଜାଲରେ ପଡ଼ିଛନ୍ତି ତାହାର ବି ତଦନ୍ତ କରୁଛି ପୋଲିସ୍‌ ।