ବଲାଙ୍ଗୀର: ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର । ଆଜି ଆୟୋଜିତ ହେବ ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବଲାଙ୍ଗୀର ଜିଲ୍ଲାର ବଣଜଙ୍ଗଲ ଘେରା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ । ଆଜି ହଜାର ହଜାର ସଂଖ୍ୟାରେ ପଡିବ ବଳି । ରକ୍ତ ରଞ୍ଜିତ ହେବ ଶୁଳିଆ ପୀଠ । ଗତକାଲି ଅର୍ଦ୍ଧରାତ୍ରିରେ ନିଶି ପୂଜା ସରିଛି । ଆଉ କିଛି ସମୟ ପରେ ଆରମ୍ଭ ହେବ ବଳି । ହଜାର ହଜାର ସଂଖ୍ୟାରେ ବୋଦା, ମେଣ୍ଢା, କୁକୁଡା ବଳି ଦିଆଯିବ । ଯାତ୍ରା ପାଇଁ ପ୍ରସ୍ତୁତ ହୋଇସାରିଛି ଖଇରଗୁରାର ବଡ଼ଖଳା ଓ କୁମୁରିଆର ସାନ ଖଳା ।
ସକାଳୁ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ଯାଇ ଖଳାରେ ପହଞ୍ଚି ସାରିଛନ୍ତି । ଆଉ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ବରୁଆ ଦେହରେ ସବାର ହେଉଛନ୍ତି ଶୁଳିଆ ବୁଢା । କିଛି ସମୟ ପରେ ପାଟବୋକାକୁ ବଳି ଦିଆଯିବ । ଯାତ୍ରା ସ୍ଥଳୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି । ଚଳିତବର୍ଷ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଶୁଳିଆ ମହୋତ୍ସବ ଆୟୋଜିତ ହୋଇପାରିନି । କେବଳ ଯାତ୍ରା ଅନୁଷ୍ଠିତ ହେଉଛି । ଏନେଇ ପୋଲିସ ତରଫରୁ ଗତକାଲି ଉଭୟ ଗାଁରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଏହାସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।