ସମ୍ବଲପୁର : ଜାତୀୟ ଯୁବ ଦିବସ ପାଳନ ଅବସରରେ ସ୍ଥାନୀୟ ବଡ଼ବଜାର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ୱାମୀ ବିବେକାନନ୍ଦ ଙ୍କ ୧୬୩ ତମ ପବିତ୍ର ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି |
ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ବବିତା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ଓ ବରିଷ୍ଠ ସମାଜସେଵୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ୱାମୀ ବିବେକାନନ୍ଦ ଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରି ଧୂପ ଦୀପ ଦ୍ୱାରା ପୂଜାର୍ଚ୍ଚନା କରିଥିଲେ |
ନିଜ ଉଦ୍’ବୋଧନରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଭାରତୀୟ ମହାନ୍ ସଂସ୍କୃତିର ପ୍ରଚାରକ ହେବା ସଙ୍ଗେ ସଙ୍ଗେ ଯୁବ ସମାଜର ପ୍ରେରଣାର ଉତ୍ସ ଥିଲେ | ଶ୍ରୀ ଅରବିନ୍ଦ ଘୋଷ, ହେମଚନ୍ଦ୍ର ଘୋଷ, ମହାତ୍ମା ଗାନ୍ଧି, ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରମୁଖ ଅସଂଖ୍ୟ ମୁକ୍ତି ସଂଗ୍ରାମୀ ସ୍ୱାମୀ ବିବେକାନନ୍ଦ ଙ୍କ ଠାରୁ ପ୍ରେରଣା ପାଇ ଦେଶ ସ୍ବାଧୀନତା ସଂଗ୍ରାମରେ ବ୍ରତୀ ହୋଇଥିଲେ ବୋଲି ସେମାନଙ୍କ ଜୀବନୀରେ ଉଲ୍ଲେଖ କରିଛନ୍ତି ବୋଲି ମୁଖ୍ୟଅତିଥି ଶ୍ରୀଯୁକ୍ତ ବହିଦାର କହିଥିଲେ |
ଶିକ୍ଷୟିତ୍ରୀ ସୁଶ୍ରୀ ତୃପ୍ତି ମାଝୀ ଙ୍କ ପରିଚାଳନାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଶ୍ରୀମତୀ ସନ୍ତୋଷିନୀ ସୁନା ଓ ସୁଶ୍ରୀ ପରଵୀନ୍ ନିଶା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ଶିକ୍ଷୟିତ୍ରୀ ସୁଶ୍ରୀ ସୁଜ୍ଞାନୀ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ଜାତୀୟ ଯୁବ ଦିବସ ପାଳନ ଅବସରରେ ସ୍ଥାନୀୟ ମୁଦିପଡ଼ା ହାଉସିଂ ବୋର୍ଡ଼ କଲୋନୀ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପକ୍ଷରୁ ରବିବାର ଦିନ ପୂର୍ବାହ୍ନରେ ସ୍ୱାମୀ ବିବେକାନନ୍ଦ ଙ୍କ ୧୬୩ ତମ ପବିତ୍ର ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଅଛି |
ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ରୋଜି ସେନ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ଓ ବରିଷ୍ଠ ସମାଜସେଵୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ୱାମୀ ବିବେକାନନ୍ଦ ଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ ସହ ଧୂପ ଦୀପ ଦ୍ୱାରା ପୂଜାର୍ଚ୍ଚନା କରିଥିଲେ |
ନିଜ ଉଦ୍’ବୋଧନରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର କହିଥିଲେ ଯେ – ରାଷ୍ଟ୍ର ପୁରୁଷ ସ୍ୱାମୀ ବିବେକାନନ୍ଦ ମହାନ୍ ଭାରତୀୟ ସଂସ୍କୃତିର ପ୍ରଚାରକ ହେବା ସଙ୍ଗେ ସଙ୍ଗେ ଯୁବ ସମାଜର ପ୍ରେରଣାର ଉତ୍ସ ଥିଲେ | ଦେଶବାସୀଙ୍କୁ ଉପଯୁକ୍ତ ଶାରୀରିକ ମାନସିକ ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ ଦ୍ୱାରା ହିଁ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ହୋଇ ପାରିବ ବୋଲି ଦେଶ ସାରା ପରିଭ୍ରମଣ କରି ସ୍ୱାମୀଜୀ ଜନସାଧାରଣଙ୍କୁ ସଚେତନ କରୁଥିଲେ ବୋଲି ମୁଖ୍ୟଅତିଥି ଶ୍ରୀଯୁକ୍ତ ବହିଦାର କହିଥିଲେ |
ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କର କୌତୁକ ବେଶ ଏବଂ ବୀର ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ସ୍ୱାମୀ ବିବେକାନନ୍ଦ ଙ୍କ ଫଟୋଚିତ୍ର ହାତରେ ଧରି ଧାଡ଼ିବାନ୍ଧି ଛାତ୍ରଛାତ୍ରୀ ମାନେ ହାଉସିଂ ବୋର୍ଡ଼ କଲୋନୀ ଏବଂ ଆଖ ପାଖ ଅଞ୍ଚଳ ପରିକ୍ରମା କରିଥିଲେ | ସେମାନଙ୍କ ଦ୍ୱାରା ସ୍ୱାମୀ ବିବେକାନନ୍ଦ ଙ୍କ ଜୟଧ୍ଵନୀ, ବନ୍ଦେ ମାତରମ୍, ଭାରତ ମାତା କୀ ଜୟ ଜୟଧ୍ଵନୀ ରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା | ସୁଶ୍ରୀ ପୂର୍ଣ୍ଣିମା ହୋତା, ହିମାଳୟା ମହଲା, ଅଷ୍ଟମୀ ପୋଢ଼, ପୂଜା ଦେ, ଲିପ୍ସାରାଣୀ ଗଉର ଏବଂ ଗୀତା ପୋଢ଼ ପ୍ରମୁଖ ସମାରୋହର ସୁପରିଚାଳନା କରିଥିଲେ | ଶେଷରେ ଶିକ୍ଷୟିତ୍ରୀ ସୁଶ୍ରୀ ହିମାଳୟା ମହଲା ଧନ୍ୟବାଦ ଅର୍ପଣ କରିଥିଲେ |