Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରବିଆଇ ପ୍ରାକ୍ତନ ଅଧିକାରୀ ସୁଶାନ୍ତ କର ଙ୍କ ପରଲୋକ

ସମ୍ବଲପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପ୍ରାକ୍ତନ ଅଧିକାରୀ ଡଃ ସୁଶାନ୍ତ କୁମାର କରଙ୍କ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଅପରାହ୍ଣରେ ପରଲୋକ ହୋଇଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ସମ୍ବଲପୁରର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଲେନ ନିବାସୀ ଶିକ୍ଷାବିତ୍ ସ୍ବର୍ଗତ ବାଳକୃଷ୍ଣ କରଙ୍କ ପୁଅ ସୁଶାନ୍ତ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ, ଗଙ୍ଗାଧର ମେହେର କଲେଜରେ ପାଠପଢ଼ା ପରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓ ଏମଫିଲ ଏବଂ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟରେ ସାମୟିକ ଭାବେ ଅଧ୍ୟାପନା ପରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେ ଯୋଗଦେଇ ୨୦୨୩ ମସିହା ଜୁନରେ ପ୍ରିନ୍ସିପାଲ ଚିଫ ଜେନେରାଲ ମ୍ୟାନେଜର (ପି.ସି.ଜି.ଏମ.) ଭାବେ ଅବସର ଗ୍ରହଣ କରିଥିଲେ। ଆରବିଆଇରେ ମହାରାଷ୍ଟ୍ରର ବ୍ୟାଙ୍କିଙ୍ଗ ଲୋକପାଳ (ଓମବଡୁସମ୍ୟାନ) ଥିବାବେଳେ ସାଇବର ଅପରାଧ ସଚେତନତା ପୁସ୍ତକ ପ୍ରସ୍ତୁତିରେ ତାଙ୍କ ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ଗଳ୍ପ ସଂକଳନ ‘ମାନସହଂସ’ ସହିତ ଅନେକ ପ୍ରବନ୍ଧ ବିଭିନ୍ନ ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ତାଙ୍କ ପଛରେ ପତ୍ନୀ ଆରବିଆଇର ନିର୍ବାହୀ ନିର୍ଦେଶିକା (ଏକଜିକ୍ୟୁଟିଭ ଡିରେକଟର) ଚାରୁଲତା କର ଓ ଝିଅ ଅନନ୍ୟା ଅଛନ୍ତି। ମୁମ୍ବାଇର କ୍ରିମେଟୋରିଅମରେ ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ। ତାଙ୍କ ବିୟୋଗରେ ଜିଲ୍ଲା ସ୍କୁଲ ୧୯୭୮ ବ୍ୟାଚ, ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ସହପାଠୀ ତଥା ବନ୍ଧୁ ପରିଜନ ମହଲରେ ଶୋକପ୍ରକାଶ ପାଇଛି। ଏଠାରେ ଉଲ୍ଲଖ ଯୋଗ୍ୟ ଯେ ସ୍ୱର୍ଗତ ସୁଶାନ୍ତ କର ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ସଭାପତି ବରିଷ୍ଠ ସାମ୍ବାଦିକ ସୁକାନ୍ତ କର ଙ୍କ ବଡ଼ ଭାଇ ଅଟନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ