ନୂଆଦିଲ୍ଲୀ: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଅଷ୍ଟମ ବେତନ କମିଶନ । ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍ । ଏହାଦ୍ବାରା କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ । ୨୦୨୬ରେ ଏହି ନୂଆ କମିଶନ ଲାଗୁ ହେବାକୁ ଯାଉଛି ।
ଅଷ୍ଟମ ବେତନ କମିଶନ ଲାଗୁ କରିବାକୁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା । ଏବେ ଏଥିପାଇଁ ବାଟ ଫିଟିବା ସହିତ ଖୁବ୍ ଶୀଘ୍ର କାର୍ୟ୍ୟକାରୀ ହେବାକୁ ଯାଉଛି । କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ଖୁବଶୀଘ୍ର ଏଥିପାଇଁ ଏକ କମିଟି ଗଠନ କରାଯାଇ ଅଷ୍ଟମ ବେତନ କମିଶନ ଗଠନ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିଛି ।
ଏହାଦ୍ବାରା ଏକ କୋଟି କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ । ୪୮.୬୭ ଲକ୍ଷ କର୍ମଚାରୀ ଓ ୬୭.୯୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ସପ୍ତମ ବେତନ କମିଶନଙ୍କ କାର୍ଯ୍ୟକାଳ ଚଳିତବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଛି । ୨୦୨୬ରୁ ଲାଗୁ ହେବ ଅଷ୍ଟମ ବେତନ କମିଶନ । ସର୍ବନିମ୍ନ ଦରମା ୧୮ ହଜାରରୁ ୫୧ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ପେନସନଭୋଗୀଙ୍କ ଦରମା ୯ ହଜାରରୁ ବଢି ୨୫ ହଜାର ପର୍ଯ୍ୟନ୍ତ ହୋଇପାରେ । ପ୍ରତି ୧୦ ବର୍ଷରେ ଗଠନ ହୋଇଥାଏ ବେତନ କମିଶନ । ଏଥିପାଇଁ ଏକ କମିଟି ଗଠନ କରାଯାଏ । କମିଟି ମହଙ୍ଗା ଓ ଅନ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ବେତନ ବୃଦ୍ଧି କରିଥାଏ ।