ବିଜେଡି କନ୍ଦଳ ପଦାରେ ପଡିଲା,ଦଳ ପାଇଁ ମୁରବୀ ଖୋଜା


କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ବିଧାୟକ ଭାବେ ଗଡ଼ ଦଖଲ କରିଛି l କିନ୍ତୁ ଦଳର କନ୍ଦଳ ଏବେ ପଦାରେ ପଡିଛି l ଗତ ଦୁଇ ଦିନ ପୂର୍ବେ ହାଟଡିହୀ ବ୍ଲକ ପରିସରରେ ୩୬ନଂ ଜୋନ ଜିଲା ପରିଷଦ ସଦସ୍ୟ କୌଶଲ୍ୟା ସେଠି ଏବଂ ଅକରୁଆ ଗ୍ରାମ ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ହେମଲତା ବେହେରାଙ୍କ ମଧ୍ୟରେ କନ୍ଦଳ ଉଗ୍ର ରୂପ ନେଇଛି l ଅଭିଯୋଗ ଅନୁସାରେ ଅକରୁଆ ଗ୍ରାମ ପଞ୍ଚାୟତ ଠିକ ଭାବେ ଚାଲୁନଥିବା ନେଇ ଚଳିତ ମାସ ଗତ ଗତ ୧୫ ତାରିଖ ବୁଧବାର ପଞ୍ଚାୟତ ସମିତି ବୈଠକରେ ଜିଲା ପରିଷଦ ସଦସ୍ୟ ସେଠି ପ୍ରଶ୍ନ ଉଠାଇ ଥିଲେ l ପରବର୍ତ୍ତୀ ସମୟରେ ଉକ୍ତ ପ୍ରସଙ୍ଗକୁ ନେଇ ସରପଞ୍ଚ ବେହେରା ଏବଂ  ଜିଲା ପରିଷଦ ସଦସ୍ୟ ସେଠି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଏବଂ ଉତ୍ତେଜନା ବ୍ଲକ ପରିସରରେ ସୃଷ୍ଟି ହୋଇଥିଲା l ସେଠାରେ ଉପସ୍ଥିତ କିଛି ସରକାରୀ କର୍ମଚାରୀ, ଲୋକ ପ୍ରତିନିଧି ଏବଂ ସାଧାରଣ ଲୋକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନରମି ଥିଲା l କିନ୍ତୁ ପରେ ଜିଲା ପରିଷଦ ସଦସ୍ୟ ସେଠି ନନ୍ଦିପଦା ଥାନାରେ ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ଚତୁର୍ଭୁଜ ସ୍ୱାଇଁଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ତାଙ୍କୁ ଜାତିଆଣ ଆକ୍ଷେପ ଏବଂ ଗାଳି ଗୁଲଜ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି l କେସ ନଂ ୧୩/୨୦୨୫ ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି l ସରପଞ୍ଚ ବେହେରା କହିଛନ୍ତି ଯେ ଜିଲା ପରିଷଦ ସଦସ୍ୟ ସେଠି ପୂର୍ବରୁ ଏଠାରେ ସରପଞ୍ଚ ଥିଲେ l ତେଣୁ ପଞ୍ଚାୟତକୁ ନିଜ ଆୟତରେ ରଖି ହାକିମାତ କରିବା ପାଇଁ ଚେଷ୍ଟା କରୁଛନ୍ତି l ଫଳରେ ବିଭିନ୍ନ କ୍ଷେତ୍ରରେ ଅଯଥା ହସ୍ତକ୍ଷେପ, ଅଶାନ୍ତି କରି ନାନା ବ୍ୟାଘାତ ସୃଷ୍ଟି କରୁଛନ୍ତି l ପୂର୍ବରୁ ସେ ଏକ ଡ୍ରେନ କାର୍ଯ୍ୟରେ ଚଞ୍ଚକତା କରି ଅର୍ଥ ଉଠାଣ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଛି l ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ପରି ଏଠାରେ ବିଜେଡି ଦଳର କନ୍ଦଳ ଶେଷରେ ପଦାରେ ପଡିଛି l ଏପରି କନ୍ଦଳକୁ ଦଳୀୟ ନେତା କିମ୍ବା କର୍ମୀ ମାନେ ଅଦ୍ୟାବଧି ସମାଧାନ କରିପାରି ନାହାଁନ୍ତି l ଯାହା ଫଳରେ ମାମଲା ଶେଷରେ ଥାନାରେ ପହଞ୍ଚିଛି l ବିଜେଡି ଦଳର ଜଣେ ବରିଷ୍ଠ କର୍ମୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଆମ ବିଧାୟକ ଠିକ ଭାବେ ଭୂମିକା ନିର୍ବାହ କରୁ ନାହାଁନ୍ତି l ଦଳୀୟ ସଂଗଠନକୁ ସକ୍ରିୟ ଏବଂ ମଜଭୁତ କରିବା ପାଇଁ କୌଣସି ଭୂମିକା ଗ୍ରହଣ କରୁ ନାହାଁନ୍ତି l ଆଗ ଧାଡ଼ିର ଛାମୁଆ ନେତା, କର୍ମୀଙ୍କୁ ଅଣଦେଖା କରି ଇଚ୍ଛା ଅନୁସାରେ ମନମୁଖି କାର୍ଯ୍ୟ କରୁଛନ୍ତି l ଫଳରେ ନିରୁତ୍ସାହ ଭାବନା ସୃଷ୍ଟି ହେଉଛି l ଏପରି ସ୍ଥିତିରେ ଦଳ ପାଇଁ ଏକ ଉଚିତ ଏବଂ ଉପଯୁକ୍ତ ମୁରବୀର ଆବଶ୍ୟକତା ଅଛି l ଅପର ପକ୍ଷେ ଦିନକୁ ଦିନ ଦଳ ଦୁର୍ବଳ ହେଉଥିବା ଏବଂ କର୍ମୀ ମାନେ ଆଗପରି ଆଉ ସକ୍ରିୟ ନଥିବା ଜଣାପଡିଛି l ଗତ ନିର୍ବାଚନରେ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବା ପରେ ଭାଜପା କର୍ମୀ ମାନେ ଯଥେଷ୍ଟ ସକ୍ରିୟ ହୋଇଛନ୍ତି l ବିଭିନ୍ନ ସଭା, ସମିତି, ଉଦଘାଟନ, ଆଧାତ୍ମିକ ଉତ୍ସବରେ ଭାଜପା ନେତା ଏବଂ ମନ୍ତ୍ରୀ, ସାଂସଦ ମାନଙ୍କୁ ଅତିଥି ଭାବେ ଦେଖିବାକୁ ମିଳୁଛି l ନିକଟ ଅତୀତରେ ଭାଜପା ଦଳର ମନ୍ତ୍ରୀ ଏବଂ ସାଂସଦ ତରତରା ଠାରେ ଆୟୋଜିତ ଏକ ଖେଳ ଉତ୍ସବରେ ଅତିଥି ଭାବେ ଯୋଗ ଦେବା ଭଳି ଉଦାହରଣ ମଧ୍ୟ ରହିଛି l ଏତଦ ବ୍ୟତୀତ ବିଧାନସଭା କ୍ଷେତ୍ର ସ୍ତରୀୟ ଭାଜପା ନେତୃ ମଣ୍ଡଳୀର ବ୍ୟକ୍ତି ବିଶେଷ ମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି l ଫଳରେ ଲୋକ ମାନେ ଏବେ ଭାଜପା ପ୍ରତି ମୁହାଁଉଥିବା କହିଲେ ଅତ୍ୟୁକ୍ତି ହେବନି l

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.