ଭୁବନେଶ୍ବର: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ । ଦୁଇଟି ପର୍ଯ୍ୟାୟରେ ୨୮ ଦିନ ଚାଲିବ ଅଧିବେଶନ ।
ବିଧାନସଭା ସଚିବାଳୟ ବିଜ୍ଞପ୍ତି ଅନୁସାରେ, ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ଫେବୃୟାରୀ ୧୩ ତାରିଖରୁ ଆରମ୍ଭ ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କ ଅଭିଭାଷଣର କାର୍ଯ୍ୟକ୍ରମ ରହିଛି । ଫେବୃୟାରୀ ୧୪ ଓ ୧୫ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୬ ତାରିଖ ରବିବାର ଛୁଟି ଥିବାବେଳେ ୧୭ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ ।
୧୮ରେ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୯ରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଓ ୨୦ ଓ ୨୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ । ୨୨ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଗୃହରେ ଆଗତ ହେବ । ପରେ ମାର୍ଚ୍ଚ ୧୦ରୁ ବିଭାଗୱାରି ଅନୁଦାନ ଦାବି ଉପରେ ଆଲୋଚନା ଓ ମାର୍ଚ୍ଚ ୨୯ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆସିବ ବୋଲି ବିଜ୍ଞପ୍ତିରୁ ଜଣାପଡ଼ିଛି ।