ଭୁବନେଶ୍ବର: ନବ ଦାସ ହତ୍ୟା ଘଟଣାକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତି ଉଷ୍ଣ ହେବାରେ ଲାଗିଛି । ବିଶେଷ କରି ତାଙ୍କ ବ୍ୟବଚ୍ଚେଦ ରିପୋର୍ଟ ଓ ଗୁଳିମାଡ଼ ନେଇ ପୂର୍ବ ସୂଚନା ଥିବା ସନ୍ଦେହ ରାଜ୍ୟ ରାଜନୀତିରେ ନିଆଁରେ ଘିଅ ଢାଳିବା ଭଳି କାମ କରିଛି । ଯାହାକୁ ନେଇ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ସେ କେଉଁ ନେତା ଥିଲେ ଯାହାଙ୍କ ପାଇଁ କଣ୍ଟା ସାଜିଥିଲେ ନବ । ଆଉ ତାଙ୍କୁ ଯୋଜନା ବଦ୍ଧ ଭାବେ ରାସ୍ତାରୁ ହଟାଇ ଦିଆଯାଇଥିଲା ।
ବ୍ୟବଚ୍ଛେଦ ରିପୋର୍ଟ ବଢ଼ାଉଛି ସନ୍ଦେହ
ଏବେ ନବଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି । ପ୍ରଶ୍ନ ଉଠିଛି ନବଙ୍କୁ ଭୁବନେଶ୍ବର ଆପୋଲି ହସ୍ପିଟାଲକୁ ଅଣାଯିବା ବେଳେ ସେ କ’ଣ ଜୀବିତ ଥିଲେ ? ଏଭଳି ପ୍ରଶ୍ନ ଉଠିବାର କାରଣ ହେଲା ନବଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ।
ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ୨୯ ତାରିଖ ରାତି ୧୦ଟା ୪୫ ମିନିଟରେ ନବଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ରିପୋର୍ଟରେ କୁହାଯାଇଛି ବ୍ୟବଚ୍ଛେଦର ୬ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ୨୯ ତାରିଖ ଦିନ ୧୨ଟା ୧୫ ପାଖାପାଖିରେ ନବ ଦାସଙ୍କୁ ଗୁଳି କରାଯାଇଥିଲା ।
ଘଟଣା ପରେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ଏୟାରଲିଫ୍ଟ କରାଯାଇ ଆପୋଲୋ ଅଣାଯାଇଥିଲା । ଆପୋଲୋରେ ପହଞ୍ଚିବା ପରେ ନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା ତାକୁ ନେଇ ଉଠିଲା ପ୍ରଶ୍ନ । ଗୁଳି ଯୋଗୁଁ ଗୁରୁତର ଆଘାତ ପାଇବା ପରେ ହୃତପିଣ୍ଡ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଏବଂ ଏଥିଯୋଗୁଁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟର ଉଲ୍ଲେଖ ରହିଛି ।
ନବଙ୍କୁ କାହିଁକି କୋଇଲା ପରିବହନରୁ ହଟାଇବାକୁ ଚାହୁଁ ଥିଲେ ଝାରସୁଗୁଡ଼ା ପ୍ରଶାସନ ?
ଏହାରି ଭିତରେ ନବଙ୍କ ଘନିଷ୍ଠ ବନ୍ଧୁ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଏମିତି କିଛି ତଥ୍ୟ ଉଜାଗର କରିଛନ୍ତି ଯାହା ନବଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଦିଗକୁ ଇଙ୍ଗିତ କରୁଛି । ଆଉ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଝାରସୁଗୁଡ଼ାର ଜିଲ୍ଲାପାଳ ଓ ଏସପି ପୂର୍ବରୁ ଚେତାଇ ଥିବା ବି ଅଭିଯୋଗ ହୋଇଛି । ସାଲୁଜାଙ୍କ କହିବା ଅନୁସାରେ, ଏକ ଖାଇବା ଟେବୁଲରେ ନବ, ସନ୍ତୋଷଙ୍କୁ କୋଇଲା ପରିବହନକୁ ନେଇ ଚାପ ପକାଯାଉଥିବା କହିଥିଲେ । ସେ ସାଲୁଜାଙ୍କୁ କହିଥିଲେ, କୋଇଲା ପରିବହନରୁ ହଟି ଯିବାକୁ ପାଓ୍ବାର କରିଡରରୁ ମୋ ଉପରେ ଚାପ ପକାଯାଉଛି । ମୁଁ ବି କହିଦେଇଥିଲି ୨୯ ଜିଲ୍ଲାର ପରିବହନ କଥା ଆପଣ ବୁଝନ୍ତୁ । ହେଲେ ଝାରସୁଗୁଡ଼ା କଥା ମୁଁ ବୁଝିବି । ଆଉ ଏହାର ମାଧ୍ୟମ ସାଜିଥିଲେ ଝାରସୁଗୁଡ଼ାର ତତ୍କାଳୀନ ଏସପି ଓ ଜିଲ୍ଲାପାଳ । ତେବେ ତତ୍କାଳୀନ ଜିଲ୍ଲାପାଳ ଓ ଏପସି କାହା ଇଙ୍ଗିତରେ ନବଙ୍କୁ ପରିବହନ କ୍ଷେତ୍ରରୁ ହଟି ଯିବାକୁ ଚାପ ପକାଉଥିଲେ ତାହା ସ୍ପଷ୍ଟ ହେବା ଦରକାର ବୋଲି ସାଲୁଜା ଦାବି କରିଛନ୍ତି । ପରଦା ପଛରେ ଥାଇ ନବଙ୍କ ହତ୍ୟାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ସେ ବାବୁ ଜଣଙ୍କୁ ପଦାକୁ ଆଣିବାକୁ ସାଲୁଜା ଦାବି କରିଛନ୍ତି ।