ଦାଦାନ ଖଟିବାକୁ ଯାଇ ୧୧ ଦିନ ହେଲା ଶ୍ରମିକ ନିଖୋଜ


ପାଟକୁରା: ପୁଣି ଦାଦନ ଦୁଃଖ । ଦାଦାନ ଖଟିବାକୁ ଯାଇ ୧୧ ଦିନ ହେବ ଜଣେ ଶ୍ରମିକ ନିଖୋଜ ଅଛନ୍ତି । ଅଭିଯୋଗ ଡେରାବିଶ ଥାନା ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବରାହୀଲୋ ଗାଁରୁ ଆସିଛି । ନିଖୋଜ ଯୁବକ ହେଲେ ଗାଁର କେଶବ ମଲ୍ଲିକ । କେଶବଙ୍କୁ ସ୍ଥାନୀୟ ଠିକାଦାର ରଞ୍ଜନ ମଲ୍ଲିକ ଚାପ ପକାଇ ଜାନୁଆରୀ ୫ ତାରିଖରେ ଅନୁଗୁଳ ପରଙ୍ଗ ଅଞ୍ଚଳକୁ କାମ କରିବାକୁ ନେଇଥିଲେ । ଗତ ୧୩ ତାରିଖରୁ ତାଙ୍କର କୌଣସି ସନ୍ଧାନ ମିଳୁ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଖବର ଠିକାଦାର ରଂଜନ ନିଖୋଜ କେଶବଙ୍କ ପରିବାରକୁ ଜଣାଇଥିଲେ ।

ଘଟଣା ପରେ କେଶବଙ୍କ ମାଆ ଅଞ୍ଜନା ମଲ୍ଲିକ ଡେରାବିଶ ଥାନାରେ ଠିକାଦାର ନାଁରେ ଅଭିଯୋଗ କରିଛନ୍ତି । ଏଥିସହ ନିଖୋଜ ଯୁବକଙ୍କ ଭାଇ ବୀରବର ମଲ୍ଲିକ ମଧ୍ୟ ଅନୁଗୁଳ ସ୍ଥିତ ନିଶା ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନରେ ଏକ ନିଖୋଜ ମାମଲା ରୁଜୁ କରିଛନ୍ତି । ଏହାକୁ ନେଇ ନିଖୋଜ କେଶବଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

କେଶବଙ୍କ ରୋଜଗାରରେ ତାଙ୍କ ପରିବାର ଚଳୁଥିଲା । ଏବେ କେଶବଙ୍କ ପତ୍ତା ନ ମିଳିବାରୁ ଅସହାୟ ହୋଇପଡିଛନ୍ତି ପରିବାର । କେଶବଙ୍କ ନିଖୋଜ ହେବା ପଛରେ ଠିକାଦାର ରଂଜନ ମଲିକ ଦାୟୀ ବୋଲି କହିଛନ୍ତି ପରିବାର ।