Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଗାପାଲିରେ ରାଷ୍ଟ୍ରୀୟ ପରାକ୍ରମ ଦିବସ:ଜାତୀୟ ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେରଙ୍କ ଜୟନ୍ତୀ ପାଳନ

ସମ୍ବଲପୁର: ସମ୍ୱଲପୁର ମହାନଗର ଅନ୍ତର୍ଗତ ଦୁର୍ଗାପାଲି ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ସ୍ମୃତି ସମିତି ପକ୍ଷରୁ ଗୁରୁବାର ଅପରାହ୍ନରେ ଏକା ସାଙ୍ଗରେ ତିନିଜଣ ବରପୁତ୍ର ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ୨୧୭ ତମ ଜୟନ୍ତୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜୟନ୍ତୀ ଏବଂ ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ଙ୍କ ୧୦୨ ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି |
ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ସ୍ମୃତି ସମିତିର ପ୍ରତିଷ୍ଠାତା ସଭାପତି ସମାଜସେବୀ ତଥା ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ମାହେଶ୍ଵରୀ ପ୍ରସାଦ ପାଣିଗ୍ରାହୀ , ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଡକ୍ଟର ଗୋବିନ୍ଦ ମହାରଣା , ସମ୍ମାନୀତ ଅତିଥି ଭାବରେ ସୁବେଦାର ମେଜର ଶିବ ନାରାୟଣ ବେହେରା ଏବଂ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ କୀର୍ତ୍ତନ ମେହେର ଯୋଗଦାନ କରିଥିଲେ | ସ୍ମୃତି ସମିତିର ସଂଯୋଜକ ଶ୍ରୀଯୁକ୍ତ ଆର୍ତ୍ତବନ୍ଧୁ ଚାନ୍ଦ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ |
ପ୍ରାରମ୍ଭରେ ପବିତ୍ର ମନ୍ତ୍ରୋଚ୍ଚାର ମଧ୍ୟରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ମାଁ ସମଲେଶ୍ୱରୀ ଏବଂ ତିନି ବରପୁତ୍ର ଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ଧୂପ ଦୀପ ଦ୍ୱାରା ପୂଜାର୍ଚ୍ଚନା ପରେ ଦେଶଭକ୍ତି ସଙ୍ଗୀତ ଗାନ କରା ଯାଇଥିଲା | ଦୁର୍ଗାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ତିନି ଜଣ ଛାତ୍ର ଜାତୀୟ ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମୁକ୍ତି ସଂଗ୍ରାମୀ ନାରାୟଣ ମେହେର ଙ୍କ ବୀର ବେଶରେ ସୁସଜ୍ଜିତ ହୋଇ ସଭା ସ୍ଥଳକୁ ଆସିଥିଲେ ଏବଂ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା |
ମାତୃଭୂମିକୁ ବିଦେଶୀ ଶାସନ ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଜାତୀୟ ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ଯେଉଁ ଅସୀମ ତ୍ୟାଗ ଓ ବଳିଦାନ ଦେଇ ଯାଇଛନ୍ତି, ସେଥିପାଇଁ ସେମାନେ ଆମର ଚିର ନମସ୍ୟ, ଚିର ସ୍ମରଣୀୟ ଏବଂ ଚିର ବନ୍ଦନୀୟ ହୋଇ ରହିବେ ବୋଲି ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ |
ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ଅର୍ଥାତ୍ ୧୮୨୭ ମସିହାରୁ ଜାତୀୟ ବୀର ସୁରେନ୍ଦ୍ର ସାଏ ସମ୍ବଲପୁର ମାଟିରେ ବିଦେଶୀ ଇଂରେଜ ଶାସନ ବିରୁଦ୍ଧରେ ଦୁଇଟି ପର୍ଯ୍ୟାୟରେ ଯେଉଁ ଦୀର୍ଘ ୨୦ ବର୍ଷ କାଳ ଜବରଦସ୍ତ ସଶସ୍ତ୍ର ସଂଗ୍ରାମ କରିଥିଲେ ଏବଂ ଦୀର୍ଘ ୩୭ ବର୍ଷ ବନ୍ଦୀ ଜୀବନ ଯାପନ କରି ପରିଶେଷରେ ୭୫ ବର୍ଷ ବୟସରେ କାରାଗାରରେ ବଳିଦାନ ହୋଇ ଯାଇଥିଲେ, ଏଭଳି ଘଟଣା ସମଗ୍ର ବିଶ୍ୱ ଇତିହାସରେ ବିରଳ ବୋଲି ସଭାପତି ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ନିଜ ଉଦ୍’ବୋଧନରେ କହିଥିଲେ | ଜଣେ ଜାତୀୟ ବୀର ଭାବରେ ବୀର ସୁରେନ୍ଦ୍ର ସାଏ ଙ୍କର ଜୀବନାଦର୍ଶ ସାରା ଓଡ଼ିଶାରେ ଏବଂ ସମଗ୍ର ଦେଶରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରାଯିବା ଉଚିତ ବୋଲି ବକ୍ତାମାନେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଠାରେ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ |
ଏହି ସମାରୋହରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଦୁର୍ଗାପାଲିର ଶ୍ରୀମତୀ ଅଞ୍ଜଳି ମହାନ୍ତି ଙ୍କୁ ଉପହାର ଦେଇ ସମ୍ମାନୀତ କରାଯାଇଥିଲା | ଶ୍ରୀମତୀ ଶିବପ୍ରିୟା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମ ଆୟୋଜନରେ ଶ୍ରୀଯୁକ୍ତ ଯୋଗେଶ୍ଵର ବନଛୋର, ଶ୍ରୀଯୁକ୍ତ ବଳରାମ ସାହୁ, ଶ୍ରୀଯୁକ୍ତ ଜନାର୍ଦ୍ଦନ ମେହେର, ଗୋଲକ ବିହାରୀ ମେହେର, ଚୈତନ୍ୟ ମେହେର, ଶିବ ଶମ୍ଭୁ ୟାଦବ, ଅଜୟ ମେହେର, ଆଲୋକ ମେହେର, ଜୟ ମଙ୍ଗଲ ସାହୁ ପ୍ରମୁଖ ସହଯୋଗ କରିଥିଲେ | ଏହି ରାଷ୍ଟ୍ରୀୟ ପରାକ୍ରମ ଦିବସ ପାଳନ ସମାରୋହରେ ବହୁ ସଂଖ୍ୟାରେ ମୁକ୍ତି ସଂଗ୍ରାମୀ ପ୍ରେମୀ ଭଦ୍ରବ୍ୟକ୍ତି, ଭଦ୍ରମହିଳା ଓ ଛାତ୍ରଛାତ୍ରୀ ବୃନ୍ଦ ଯୋଗଦାନ କରି ବରପୁତ୍ର ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସାମୁହିକ ଜାତୀୟ ସଙ୍ଗୀତ ଗାନ ପରେ ଶେଷରେ ଶ୍ରୀମତୀ ବବିତା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସମାରୋହ ଉଦଯାପିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories