ମୁଦିପଡ଼ା ହାଉସିଂ ବୋର୍ଡ଼ କଲୋନୀ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଦେଶର ୭୬ ତମ ସାଧାରଣତନ୍ତ୍ର ଦିବସ


ସମ୍ବଲପୁର: ସମ୍ବଲପୁର ମହାନଗର ସ୍ଥାନୀୟ ମୁଦିପଡ଼ା ହାଉସିଂ ବୋର୍ଡ଼ କଲୋନୀ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଠାରେ ଆଜି ଦେଶର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିଚାଳନା ସମିତିର ସମ୍ପାଦକ ହରିହର ପାଢ଼ୀଙ୍କ ତତ୍ତ୍ୱାବଧାନ ଓ ଅଧ୍ୟକ୍ଷା ଶ୍ରୀମତୀ ରୋଜି ସେନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ | ପରେ ପରେ ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା |
ସମାରୋହରେ ଉପସ୍ଥିତ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ସହରର ବହୁ ଗଣ୍ୟମାନ୍ୟ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାଙ୍କୁ ଉଦ୍’ବୋଧନ ଦେଇ ମୁଖ୍ୟଅତିଥି ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର କହିଲେ ଯେ – ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଆମର ପ୍ରିୟ ମାତୃଭୂମି ଭାରତବର୍ଷ ରାଜତନ୍ତ୍ରରୁ ମୁକ୍ତହୋଇ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ସଫଳତାର ସହ ୭୫ବର୍ଷ ପୂର୍ଣ୍ଣ କରିପାରିଛି | ଯେଉଁ ମହାନ୍ ମୁକ୍ତିସଂଗ୍ରାମୀ କ୍ରାନ୍ତିକାରୀ ମାନଙ୍କ ଅସୀମ ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଆମେ ସ୍ବାଧୀନତା ପାଇଛୁଁ, ସେମାନଙ୍କ ଠାରେ ଆମ୍ଭେମାନେ ଚିରଋଣୀ ବୋଲି କହି ମୁଖ୍ୟଅତିଥି ବହିଦାର ସମସ୍ତଙ୍କ ପକ୍ଷରୁ ସମସ୍ତ ମୁକ୍ତି ସଂଗ୍ରାମୀ ତଥା ସମ୍ବିଧାନ ନିର୍ମାତା ମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଭାରତବର୍ଷକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପ୍ରତିଷ୍ଠା କରିବା ସକାଶେ ରାଷ୍ଟ୍ରପ୍ରତି ନିଜ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେବା ସଙ୍ଗେ ସଙ୍ଗେ ଦେଶ ନିର୍ମାଣ କାର୍ଯ୍ୟରେ ଯୋଗଦାନ କରିବାକୁ ସମସ୍ତଙ୍ଙ୍କୁ ଆହ୍ୱାନ କରିଥିଲେ |
ପ୍ରାତଃ କାଳରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ହାତରେ ଜାତୀୟ ପତାକା ଧରି ପ୍ରଭାତଫେରିରେ ସାହିର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ | ଭାରତମାତା ଏବଂ ମୁକ୍ତି ସଂଗ୍ରାମୀ ବରପୁତ୍ର ମାନଙ୍କ ଜୟଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା | ଅନେକ ଛାତ୍ରଛାତ୍ରୀ ବୀରବେଶ ହୋଇ ସମାରୋହରେ ଅଂଶ ଗ୍ରହଣ କରିଥିଲେ | ପ୍ରାରମ୍ଭରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ସାମୁହିକ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ | ସୁଶ୍ରୀ ପ୍ରତିଭାରାଣୀ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ |
ଶିକ୍ଷୟିତ୍ରୀ ସୁଶ୍ରୀ ପୂର୍ଣ୍ଣିମା ହୋତା, ହିମାଳୟା ମହଲା, ଅଷ୍ଟମୀ ପୋଢ଼, ପୂଜା ଦେ, ଲିପ୍’ସାରାଣୀ ଗଉର ଏବଂ ଶ୍ରୀମତୀ ଗୀତା ପୋଢ଼ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ | ଶିକ୍ଷୟିତ୍ରୀ ସୁଶ୍ରୀ ହିମାଳୟା ମହଲାଙ୍କ ଧନ୍ୟବାଦ ଅର୍ପଣ ପରେ ସମାରୋହ ଉଦ୍’ଯାପିତ ହୋଇଥିଲା | ଶେଷରେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।