ମିଲର ନେଲାନି ଧାନ, ହୃଦଘାଟରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ


ଭଞ୍ଜନଗର: ଧାନ ବିକ୍ରି ପାଇଁ ମଣ୍ଡି ଓ ମିଲରଙ୍କ ପାଖକୁ ବାରମ୍ବାର ଦୌଡି ନିରାଶ ହେବା ପରେ ଶେଷରେ ହୃଦଘାତରେ ଚାଲିଗଲା ଜଣେ ଚାଷୀଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ସୋରଡା ଗୁଣ୍ଡୁରିବାଡ଼ି ଚାକୁଣ୍ଡା ଗାଁରେ ଘଟଛି ଏଭଳି ଅଭାବନୀୟ ଘଟଣା । ମୃତ ଚାଷୀ ହେଲେ ଗଣେଶ ବିଷୋୟୀ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ମିଲକୁ ଧାନ ବିକ୍ରି ପାଇଁ ନେଇଥିଲେ ଗଣେଶ । କିନ୍ତୁ ଧାନର ମାନ ଖରାପ ଥିବା କହି ଫେରାଇ ଦେଇଥିଲେ ମିଲର । ନିଜର ଅମଳ ଧାନକୁ ବିକ୍ରି କରିବା ପାଇଁ ବାରମ୍ବାର ଦୌଡ଼ି ନିରାଶ ହୋଇପଡ଼ିଥିଲେ । ଧାନବସ୍ତାକୁ ଗାଡ଼ିରୁ ଓଜନ କରାଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଗଣେଶ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।