Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦୦ରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ,ଓଡ଼ିଶାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି

ଭୁବନେଶ୍ୱର:ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଜନତା ମଇଦାନଠାରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ କମ୍ପାନୀର ସିଇଓ ମାନଙ୍କ ସହିତ ସ୍ଵତନ୍ତ୍ର ଭାବେ ଆଲୋଚନା କରିଛନ୍ତି l ଏହି ଆଲୋଚନାରେ ଇସ୍ପାତ, ଗ୍ରୀନ ଏନର୍ଜି, ଗ୍ରୀନ ଅମୋନିଆ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ ଭଳି କ୍ଷେତ୍ରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ କମ୍ପାନୀର ସିଇଓମାନେ ଅଂଶଗ୍ରହଣ କରିଥିଲେ l
ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ଅବସର l ଆଜିର ସମୟରେ ଓଡ଼ିଶାର ଜିଡ଼ିପି ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି l ଆଜି ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ନେଇ ବହୁ ଉତ୍ସାହିତ ଥିଲେ l ଓଡ଼ିଶା ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ପ୍ରତି ସମର୍ଥନ ରହିଛି l ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିରେ ଓଡ଼ିଶା ହେଉଛି ସମ୍ଭାବନାର ରାଜ୍ୟ l ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି l
ସେ ପୁଣି କହିଥିଲେ, ଓଡ଼ିଶାର ପ୍ରତି ଜିଲ୍ଲାରେ ଆମେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛୁ l ଏଥିପାଇଁ ଆମେ ଭିତ୍ତିଭୂମି ବିକାଶ କରୁଛୁ l ରାଜ୍ୟରେ ରେଳପଥ,ସଡ଼କପଥ ଓ ପୋର୍ଟ ସେକ୍ଟରର ବିକାଶ କରାଯାଉଛି l ଯଦ୍ଵାରା କି ଆଜି ମାଲକାନଗିରି ଭଳି ସୀମାନ୍ତ ଅଞ୍ଚଳରେ ମଧ୍ୟ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବାକୁ ଯାଉଛି l ଏହା ସମ୍ପୃକ୍ତ ଅଞ୍ଚଳଗୁଡିକର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହିତ ଯୁବବର୍ଗଙ୍କୁ ବ୍ୟାପକ ନିଯୁକ୍ତି ପ୍ରଦାନ କରିବ l
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆମ ସରକାର ମାତ୍ର ସାତ ମାସର ସରକାର l କିନ୍ତୁ ଏହି ସାତ ମାସ ମଧ୍ୟରେ ଆମେ ଓଡ଼ିଶାରେ ଜାତୀୟ ସ୍ତରର ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଛୁ l ଆଜିର ଏହି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଉଦ୍ୟୋଗୀମାନଙ୍କୁ ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ଉତ୍ସାହିତ କରିଛି l ଓଡ଼ିଶା ପ୍ରାକୃତିକ ସମ୍ବଳ ଓ ଖଣିଜ ସମ୍ପଦରେ ଭରପୂର l ଏସବୁର ସଠିକ ଉପଯୋଗରେ ଓଡ଼ିଶା ବିକଶିତ ଭାରତର ଗ୍ରୋଥ ଇଞ୍ଜିନ ହେବ ବୋଲି ମୋଦିଜୀ କହିଛନ୍ତି l ଆପଣ ମାନଙ୍କ ସହଯୋଗରେ ମୋଦିଜୀଙ୍କ ଏହି ଲକ୍ଷ୍ୟ ପୂରଣ ହେବ ବୋଲି ସେ କହିଥିଲେ l
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସ୍ଵାଗତ ଅଭିଭାଷଣ ରଖି ଅଂଶଗ୍ରହଣକାରୀ ସମସ୍ତ କମ୍ପାନୀ ଗୁଡିକୁ ଓଡ଼ିଶାକୁ ସ୍ଵାଗତ କରି ଉଦ୍ୟୋଗ ସ୍ଥାପନ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି କହିଥିଲେ l ସିଆଇଆଇର ମହାନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରଜିତ ବାନାର୍ଜୀ ଅଧିବେଶନକୁ ସଂଚାଳନ କରିଥିବାବେଳେ, ପିଡବ୍ଲୁସି (pwc)ର ଅଧ୍ୟକ୍ଷ ଶ୍ରୀ ସଂଜୀବ କ୍ରିଷନ, କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।ଶେଷରେ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ