ଯାଜପୁର: ବନ୍ଧୁକ ଦେଖାଇଲେ । ଫାଙ୍କା ଗୁଳିଚାଳନା କଲେ । ଏହାପରେ ବ୍ୟବସାୟୀଙ୍କ ପାଖରୁ ଲୁଟି ନେଲେ ୫ ଲକ୍ଷ ଟଙ୍କା । ଏମିତି ଘଟଣା ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ଘଟିଛି । ଦୁଇ ଯୁବକ ଗୁଳି ଫୁଟାଇବା ସହ ଭୁଜାଲିରେ ଆକ୍ରମଣ କରି ବ୍ୟବସାୟୀଙ୍କଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଯାଜପୁର ବ୍ଲକ ବିଚିତ୍ରପୁର ଅଞ୍ଚଳର ବ୍ୟବସାୟୀ ଜିତେନ୍ଦ୍ର ଦାସ ଏବଂ ସନ୍ତୋଷ ମହାନ୍ତି ବାରବାଟୀ ସ୍ଥିତ ଗଣେଶ ବଜାରରେ ଥିବା ଜନୈକ ବ୍ୟବସାୟୀଙ୍କ ନିକଟରୁ ଟଙ୍କା ଆଣି କାରରେ ଘରକୁ ଫେରୁଥିଲେ । ବାରବାଟୀ ବାଇପାସ ରାସ୍ତା ନିକଟରେ ଦୁଇ ଜଣ ଯୁବକ ଆସି ହଠାତ ଗାଡିକୁ ଅଟକାଇଥିଲେ । ଅନ୍ୟ ଦୁଇଜଣ ଯୁବକ ଏକ ବାଇକରେ ଆସି ଏକ ଭୁଜାଲିରେ କାର କାଚକୁ ଭାଙ୍ଗିବା ସହ ବନ୍ଧୁକରୁ ଗୁଳି ଚଳାଇଥିଲେ । ଏଥିସହ ତାଙ୍କ ନିକଟରେ ଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଗୁଳି ଫୁଟା ଶବ୍ଦ ଶୁଣି ନିକଟରେ ଥିବା ଲୋକେ ଆସି ପହଞ୍ଚି ପୋଲିସକୁ ଖବର ଦେଇଥିଲେ ।