ସମ୍ବଲପୁର:ସମର୍ଥ ର କେଳେଙ୍କାରୀ ଘଟଣା ଲୋକ ଲୋଚନକୁ ଆସିବା ପରେ ଶେଷରେ ନିରୀହ ଅନ୍ତେବାସୀ ପାଇଛନ୍ତି ନୂଆଜୀବନ।
ଏହି ଘଟଣାର ଜଟିଳ ରହସ୍ୟର ହେବ ତଦନ୍ତ।ସମ୍ବଲପୁର ସହର ନେତାଜୀନଗର ସ୍ଥିତ ଆଦର୍ଶ ଶିଶୁ ମନ୍ଦିର ପରିଚାଳିତ ସମର୍ଥ ଅନୁଷ୍ଠାନର ମାନସିକ ରୋଗୀ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାର ଅଧିକ ତଦନ୍ତ ହେବ। ବର୍ତ୍ତିବେନି କେହି।ଆଜି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ କାର୍ଯ୍ୟାଳୟରୁ କେତେକ ଗୁରୁତ୍ଵପୂର୍ଣ କାଗଜପତ୍ର ପୁଲିସ ଜବତ କରିଛି । ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ପରିପ୍ରେକ୍ଷୀରେ ପୀଡ଼ିତା ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରାଯାଇଛି।ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧୀକ୍ଷକ ଶଶାଙ୍କ ଶେଖର ବେଉରା ଏନେଇ ସୂଚନା ଦେଇଛନ୍ତି । ଉକ୍ତ କେନ୍ଦ୍ରରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ମଧ୍ୟ ଜବତ କରାଯାଇଛି।
ତେବେ ବିଗତ ଦିନରେ ୬ ଅନ୍ତେବାସୀଙ୍କ ମୃତ୍ୟୁ ବିବରଣୀ ଅନୁଷ୍ଠାନ ଜିଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ
କୌଣସି ସୂଚନା ଦେଇନଥିବା ତଦନ୍ତ ବେଳେ ଜଣାପଡିଛି। ଏପରିକି ଶବଗୁଡିକର ବ୍ୟବଚ୍ଛେଦ ମଧ୍ୟ ହୋଇ ନଥିବା ଜଣାପଡିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।ଅନ୍ତେବାସୀଙ୍କ ମୃତ୍ୟୁ ହେଲେ ଶବ ବ୍ୟବଛେଦ ପରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବାକୁ ପ୍ରଶାସନିକ ବ୍ୟବସ୍ଥା ରହିଛି। କିନ୍ତୁ ସମ୍ବଲପୁର ଜିଲ୍ଲାରେ କୌଣସି ଅନ୍ତେବାସୀଙ୍କ ମୃତ୍ୟୁ ରହସ୍ୟ ରହସ୍ୟ ହୋଇ ରହିଯାଏ ସିନା କିନ୍ତୁ ଠୋସ ପଦକ୍ଷେପ ନେବାକୁ ପ୍ରଶାସନିକ କଳ ମଧ୍ୟ୍ୟ ହୁଗୁଳା ହୋଇପଡିବା ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ। ଆଗକୁ ପ୍ରଶାସନ ମଧ୍ୟ୍ୟ ଏହି ଦିଗ ପ୍ରତି ଯଥେଷ୍ଟ ନଜର ରଖିବ ବୋଲି ଆଶା କରାଯିବ।ଜଣେ ଅନ୍ତେବାସିନୀଙ୍କୁ ପ୍ରବଳ ମାଡ଼ ମରାଯାଉଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ‘ସମର୍ଥ’ ଅନୁଷ୍ଠାନର ଏହି ଅମାନୁଷିକ ଓ ହୃଦୟ ଥରା ଘଟଣାର ପର୍ଦାଫାସ ହୋଇଥିଲା। ଘଟଣାରେ କେନ୍ଦ୍ରର ସମ୍ପାଦକ ହରିଶ ଚନ୍ଦ୍ର ଦାସ, ତାଙ୍କ ପୁଅ ଶୁଭ୍ରଜିତ ଦାସ , ସହାୟିକା ସ୍ବାଗତିକା ପ୍ରଧାନ ଓ କର୍ମଚାରୀ ସୁନୀଲ ବେହେରା ଏବେ ଜେଲ୍ରେ ଅଛନ୍ତି। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବାରୁ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି।
ଘଟଣାର ତଦନ୍ତ କରୁଥିବା ଉପଜିଲାପାଳ ଡ଼ଃ ପୁଷ୍ପାଞ୍ଜଳି ପଣ୍ଡା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଅନ୍ତେବାସୀଙ୍କ ବୟାନ ରେକର୍ଡ କରାଯାଇଛି। କେନ୍ଦ୍ରର ସମ୍ପାଦକ ଓ ଅନ୍ୟମାନେ ଅନ୍ତେବାସୀଙ୍କୁ ଶାରୀରିକ ନିର୍ଯାତନା ଦେବାସହ ମାରପିଟ୍ କରୁଥିବା ସ୍ପଷ୍ଟ ହୋଇଛି।ଅନ୍ତେବାସୀଙ୍କ ମାନସିକ ସ୍ଥିତିକୁ ଡାକ୍ତର ଯାଞ୍ଚ କରିବେ, ସେମାନଙ୍କୁ କି ପ୍ରକାରର ନିର୍ଯାତନା ଦିଆଯାଇଛି ତାହା ସ୍ବାସ୍ଥ୍ୟ ଯାଞ୍ଚ ପରେ ଜଣାପଡ଼ିବ। ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ଉପ ଜିଲ୍ଲାପାଳ କହିଛନ୍ତି। ଅପରପକ୍ଷେ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ହିମାଂଶୁ ଲାଲ ଗତକାଲି ସୂଚନା ଦେଇଛନ୍ତି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ କହିଛନ୍ତି, ସମର୍ଥ ଅନୁଷ୍ଠାନର ବିରୋଧରେ ଅଭିଯୋଗ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦେଇ କହିଛନ୍ତି ଯେ,ଅନ୍ତେବାସୀଙ୍କ ପାଇଁ ୬ ମାସରେ ୧୨ ଲକ୍ଷ ଟଙ୍କା ସମର୍ଥ କେନ୍ଦ୍ରକୁ ପ୍ରଦାନ କରାଯାଉଥିଲା । ଅଦ୍ୟାବଧି ୩୭ ଲକ୍ଷ
ଟଙ୍କା ଦିଆଯାଇଛି । ଅଧିକାରୀ ନିଜେ ପରିଦର୍ଶନ କରିବାପରେ ଅନିୟମିତତା ନେଇ ଅନୁଦାନକୁ ବନ୍ଦ କରାଯାଇଥିଲା। ଏବେ ସେଠାରେ ୪୨ ଅନ୍ତେବାସୀ ରହୁଥିବା ବେଳେ କାର୍ଯ୍ୟରେ ଅବହେଳା ପାଇଁ ବିଭାଗୀୟ ଯାଞ୍ଚ ଏବଂ ଆର୍ଥିକ ଅନିୟମିତତା ପାଇଁ ଅଡିଟ୍ କରାଯିବ ବୋଲି ସେ କହିଛନ୍ତି।ସେଠାରେ ନର୍ସ ରହିଥିଲେ, ଔଷଧ ମଧ୍ୟ ରହିଥିଲା। କିନ୍ତୁ ୬ ଜଣ ମୃତ୍ୟୁଙ୍କ ସମ୍ପର୍କରେ ଉକ୍ତ କେନ୍ଦ୍ର ଜିଲ୍ଲା କାର୍ଯ୍ୟାଳୟକୁ କୌଣସି ସୂଚନା ଦେଇ ନ ଥିଲା । ମୃତୁ ମୃତ୍ୟୁର କାରଣ କଣ ଓ ଶବ ବ୍ୟବଛେଦ କରାଯାଇ ନଥିବାରୁ ତା’ର ମଧ୍ୟ୍ୟ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ନିର୍ଯାତନା ଘଟଣା ତଥା ଅବ୍ୟବସ୍ଥା ନେଇ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର।କାହିଁକି ନିୟମିତ ପରିଦର୍ଶନ ହେଉନଥିଲା ଓ ଏତେ ବଡ଼ ଘଟଣା ସାମ୍ନାକୁ ଆସିବା ନେଇ ଜିଲ୍ଲାପାଳ କୈଫିୟତ ମାଗିଛନ୍ତି।ଘଟଣା ସମ୍ପର୍କରେ ଜିଲାପାଳ କହିଛନ୍ତି ଯେ, ଏକ ବିଶେଷଜ୍ଞ ଦଳ ପ୍ରାଥମିକତା ଭିଭିରେ ଅନ୍ତେବାସୀଙ୍କ ଉପଯୁକ୍ତ ଥଇଥାନ, ଖାଦ୍ୟପେୟ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା କାର୍ଯ୍ୟରେ ଲାଗିଛନ୍ତି। ଆଜି ଅନ୍ତେବାସୀଙ୍କୁ ବୁର୍ଲା ଥାନା ଅନ୍ତର୍ଗତ ବୈଜାମୁଣ୍ଡା ସ୍ଥିତ ସରକାରୀ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ।ବୈଷେୟିକ ଟିମ ମଧ୍ୟ ବୈଜାମୁଣ୍ଡା ସ୍ଥିତି ଅନୁଧ୍ୟାନ କରି ଏହା ଉପଯୁକ୍ତ ସ୍ଥାନ ବୋଲି ମୋହର ମାରିଛନ୍ତି।
ଛଦ୍ମ ବେଶରେ ନଜର ରଖିଥିଲେ ବିଧାୟକ ସୁଦର୍ଶନ ହରିପାଳ
ଏହି ଅମାନୁଷିକ ଘଟଣାର ଫର୍ଦାଫାଶ ହେବାର ଆନ୍ତରାଳ କାହାଣୀ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।କେବଳଯେ ୧୮ ଦିନର ମହିଳା କର୍ମଚାରୀ ନିଜର ସାହସ ଜୁଟାଇ ନିଜ ମୋବାଇଲରେ ବିଭିନ୍ନ ଘଟଣା କ୍ରମକୁ କଏଦ କରି ସୋସିଆଲ ମିଡ଼ିଆରେ କେବଳ ଛାଡି ଦେଇ ନଥିଲେ। ଏହା ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲିବା ପରେ ମଧ୍ୟ୍ୟ ଘଟଣା ତେଜି ନଥିଲା। ଏହାର ଅସଲ କାହାଣୀ ଜାଣିଲେ ସାବାସୀ ଫେରିଯିବ ଜିଲ୍ଲା ଜଣେ ଯୁବ ବିଧାୟକଙ୍କ ନିକଟକୁ। ଘଟଣା ଲୋକ ଲୋଚନକୁ ଆସିବା ପୂର୍ବରୁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଛଦ୍ମ ବେଶରେ ସମର୍ଥ ଏହି ଅଭିଯୋଗ ପଛର ଘଟଣାକ୍ରମକୁ ଅନୁଧ୍ୟାନ କରିଥିଲେ। ଲୁଙ୍ଗି ଗାମୁଛା ପକାଇ ଜଣେ ସରଳ ସାଧାରଣ ମଣିଷ ଭାବେ ଅନୁଷ୍ଠାନ ଭିତରେ ରହି ବହୁତ କିଛି ଆଖିରେ ଦେଖିବା ପରେ ଜିଲ୍ଲାପାଳଙ୍କୁ ଭେଟି ସମର୍ଥର ଗୁମର ଖୋଲିଥିଲେ। ଯାହାକି ପାରବର୍ତ୍ତୀ ସମୟରେ ଅନ୍ତେବାସୀଙ୍କୁ ନୁଆଁ ଜୀବନ ମିଳିବାରେ ସହାୟକ ହୋଇଥିଲା।